କାନ୍ଦୁଲଝରରେ ନୂତନ ମଦ ଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ ଶତାଧିକ ମହିଳା ଓ ଗ୍ରାମବାସୀଙ୍କ ରଣହୁଙ୍କାର, ଅନୁମତି ବାତିଲ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

Nov 07, 2026 - 15:24
0 20
କାନ୍ଦୁଲଝରରେ ନୂତନ ମଦ ଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ ଶତାଧିକ ମହିଳା ଓ ଗ୍ରାମବାସୀଙ୍କ ରଣହୁଙ୍କାର, ଅନୁମତି ବାତିଲ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

କଳାହାଣ୍ଡି, ୦୭/୧୧ (ଷ୍ଟାରନିୟୁଜ ଓଡ଼ିଶା): ଗାଁରେ ମଦ ଭାଟି ନୁହେଁ, ଆମକୁ ଦରକାର ଶାନ୍ତିପୂର୍ଣ୍ଣ ସାମାଜିକ ପରିବେଶ। ଏଭଳି ଦାବିରେ ଏକଜୁଟ ହୋଇଛନ୍ତି ମହିଳାଙ୍କ ସମେତ କାନ୍ଦୁଲଝର ଓ ଅର୍ତଲ ପଞ୍ଚାୟତବାସୀ। ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଅର୍ତଲ ଗ୍ରାମ ପଞ୍ଚାୟତର କାନ୍ଦୁଲଝର ଗ୍ରାମରେ ଏକ ନୂତନ ମଦ ଭାଟି ଓ ମଦ ଦୋକାନ ନିର୍ମାଣକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ଶନିବାର ଶତାଧିକ ମହିଳା ଓ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରସ୍ତାବିତ ମଦ ଭାଟି ନିର୍ମାଣକୁ ଦୃଢ଼ ବିରୋଧ କରିବା ସହ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଅର୍ତଲ ପଞ୍ଚାୟତର କେନ୍ଦୁପାଟି କୁଲେରଗୁଡ଼ାଠାରେ ପୂର୍ବରୁ ଏକ ମଦ ଭାଟି ରହିଛି। ସେଠାରୁ ପଲନା ପଞ୍ଚାୟତ ଅଞ୍ଚଳକୁ ମଧ୍ୟ ମଦ ଯୋଗାଣ ହେଉଛି। ଏହା ସତ୍ତ୍ୱେ ପୁଣି କାନ୍ଦୁଲଝର ଗ୍ରାମର ଶେଷ ଭାଗରେ ଅର୍ତଲ ହସ୍ପିଟାଲ ଛକ ନିକଟରେ ଜଣେ ବ୍ୟକ୍ତି ବ୍ୟକ୍ତିଗତ ଜମି କିଣି ମଦ ପ୍ରସ୍ତୁତି ଓ ବିକ୍ରି ଉଦ୍ଦେଶ୍ୟରେ ପକ୍କା ଘର ନିର୍ମାଣ କରୁଥିବା ସେମାନେ କହିଛନ୍ତି। ଏହି ନିର୍ମାଣ ଭବିଷ୍ୟତରେ ଅଞ୍ଚଳର ସାମାଜିକ ପରିବେଶକୁ ପ୍ରଭାବିତ କରିବା ସହ ମହିଳା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ପ୍ରସ୍ତାବିତ ମଦ ଦୋକାନଟି ଏକ ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତା କଡ଼ରେ ଅବସ୍ଥିତ। ଏହି ରାସ୍ତା ଦେଇ ପ୍ରତିଦିନ ଅର୍ତଲ ହାଇସ୍କୁଲ ଓ ବୋର୍ଡ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ଲୋକ ଯାତାୟାତ କରିଥାନ୍ତି। ଏଭଳି ସ୍ଥାନରେ ମଦ ଦୋକାନ ଖୋଲାଗଲେ ଶିକ୍ଷାନୁଷ୍ଠାନର ପରିବେଶ, ମହିଳାଙ୍କ ସୁରକ୍ଷା ଓ ଯୁବପିଢ଼ିଙ୍କ ଭବିଷ୍ୟତ ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି।
ଏନେଇ ଗ୍ରାମବାସୀ ପୂର୍ବରୁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଏବେ ଗ୍ରାମବାସୀ ଆନ୍ଦୋଳନର ରାସ୍ତା ଆପଣାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି।
ତେଣୁ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପ୍ରସ୍ତାବିତ ମଦ ଭାଟିର ଅନୁମତି, ସ୍ଥାନ ଚୟନ ଓ ନିର୍ମାଣର ବୈଧତା ଯାଞ୍ଚ କରିବା ସହ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଜନସାଧାରଣଙ୍କ ଆପତ୍ତିକୁ ଅଣଦେଖା କରି ମଦ ଭାଟି ନିର୍ମାଣ ଜାରି ରହିଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ସହ ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏବେ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User