୩୮ତମ ପୁଷପୂନି ଭେଟଘାଟ ପାଇଁ ପ୍ରସ୍ତୁତି ଜୋରଦାର ନଭେମ୍ବର ୨୯ରେ କେସିଙ୍ଗାରେ ସାହିତ୍ୟର ମହାସମାରୋହ; ରାଜ୍ୟସ୍ତରୀୟ ଲେଖକ ସମାବେଶରେ ଏକାଠି ହେବେ ସାହିତ୍ୟିକ ଓ ସଂସ୍କୃତିପ୍ରେମୀ
କେସିଙ୍ଗା, ୨୧/୧୧ (ଷ୍ଟାରନିୟଜ ଓଡ଼ିଶା): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବକୁ ଆହୁରି ଉଜ୍ଜ୍ୱଳ କରିବା ସହ ସାହିତ୍ୟିକ ଭାବଧାରାର ଆଦାନ-ପ୍ରଦାନ ନିମନ୍ତେ କେସିଙ୍ଗାରେ ଆୟୋଜିତ ହେବାକୁ ଯାଉଛି ୩୮ତମ ପୁଷପୂନି ଭେଟଘାଟ ଓ ରାଜ୍ୟସ୍ତରୀୟ ଲେଖକ ସମାବେଶ। ଆସନ୍ତା ୨୯ ତାରିଖରେ ଚେତାବନୀ ସାହିତ୍ୟ ସଂସଦ, କେସିଙ୍ଗା, କଳାହାଣ୍ଡି ଆନୁକୂଲ୍ୟରେ ଏହି ସାହିତ୍ୟିକ ମହାସମାରୋହ ଅନୁଷ୍ଠିତ ହେବ।
ଏହି ଅବସରରେ ଆୟୋଜକ ସଂସଦ ପକ୍ଷରୁ ଆଜି ଋଷି ସାହା ଭବନଠାରେ ଏକ ପ୍ରେସ୍ମିଟ୍ ଆୟୋଜନ କରି କାର୍ଯ୍ୟକ୍ରମର ରୂପରେଖା ଓ ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଓଡ଼ିଆ ସାହିତ୍ୟର ପରମ୍ପରାକୁ ସମ୍ମାନ ଜଣାଇବା, ସାହିତ୍ୟିକମାନଙ୍କ ମଧ୍ୟରେ ଭାବବିନିମୟର ସୁଯୋଗ ସୃଷ୍ଟି କରିବା ଏବଂ ନୂତନ ପିଢ଼ିକୁ ସାହିତ୍ୟ ସହ ଯୋଡ଼ିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।
ପୁଷପୂନି ଭେଟଘାଟ କେବଳ ଏକ ସାଧାରଣ ସମାବେଶ ନୁହେଁ, ବରଂ ଏହା ସାହିତ୍ୟ, ସଂସ୍କୃତି ଓ ସାମାଜିକ ସମ୍ପର୍କର ଏକ ସୁନ୍ଦର ସେତୁ। ଏହି ମଞ୍ଚରେ ଲେଖକ, କବି, ସାହିତ୍ୟପ୍ରେମୀ ଓ ସଂସ୍କୃତିସେବୀମାନେ ଏକତ୍ରିତ ହୋଇ ସୃଜନଶୀଳତାର ନୂତନ ଦିଗ ଉନ୍ମୋଚନ କରିବେ।
ସାହିତ୍ୟ ହେଉଛି ସମାଜର ଦର୍ପଣ। ଏହା ମାଧ୍ୟମରେ ମଣିଷର ଭାବନା, ଅନୁଭୂତି, ସଂଘର୍ଷ ଓ ସଂସ୍କୃତିର ପ୍ରତିଛବି ପ୍ରକାଶ ପାଏ। ତେଣୁ ଏଭଳି ସାହିତ୍ୟିକ ଆୟୋଜନ ଓଡ଼ିଆ ଭାଷାର ସମୃଦ୍ଧିକୁ ଆଗକୁ ନେବା ସହ ସ୍ଥାନୀୟ ଅଞ୍ଚଳରେ ସାହିତ୍ୟିକ ଚେତନା ଓ ସାଂସ୍କୃତିକ ଏକତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।
କେସିଙ୍ଗାରେ ଏହି ସାହିତ୍ୟିକ ମହାମିଳନକୁ ନେଇ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବାବେଳେ, ଆୟୋଜକଙ୍କ ପକ୍ଷରୁ କାର୍ଯ୍ୟକ୍ରମକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି।
ଏହି ପ୍ରେସ୍ମିଟ୍ ଚେତାବନୀ ସାହିତ୍ୟ ସଂସଦର ସଭାପତି ଶ୍ରୀମତୀ ଯାଜ୍ଞସେନୀ ସାହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ରଶ୍ମିରଞ୍ଜନ ପଣ୍ଡା କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ, ଉପସଭାପତି ମଞ୍ଜୁମେଧା ଗୁରୁ ଉପସ୍ଥିତ ରହି ଗଣମାଧ୍ୟମକୁ ଆଗାମୀ ସାହିତ୍ୟିକ ଆୟୋଜନ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।
ଶେଷରେ ଯାଦବେନ୍ଦ୍ର ସାହା ପ୍ରେସ୍ମିଟ୍ରେ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)