ଚେକ୍ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ୧୨ ଲକ୍ଷ ଟଙ୍କା ପୈଠ ନିର୍ଦ୍ଦେଶ; ଅନାଦାୟରେ ୧ ବର୍ଷ କାରାଦଣ୍ଡ
ଭବାନୀପାଟଣା, ୨୯/୦୯ (ଷ୍ଟାରନିୟୁଜ ଓଡ଼ିଶା): ଚେକ୍ ବାଉନ୍ସ ସମ୍ପର୍କିତ ଏକ ମାମଲାରେ ଭବାନୀପାଟଣା ଏସ୍ଡିଜେଏମ୍ ଅଦାଲତ ଶ ସୂରଜ ପ୍ରକାଶ ପଟ୍ଟନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ଶୁଣାଣି ପରେ ଅଦାଲତ ଦୋଷୀଙ୍କୁ ୧୨ ଲକ୍ଷ ଟଙ୍କା ପୈଠ କରିବାକୁ ଆଦେଶ ଦେଇଥିବା ବେଳେ ଅର୍ଥ ପୈଠ ନକଲେ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାରୁ ପ୍ରକାଶ ଯେ, ଭବାନୀପାଟଣା ବାହାଦୁର ବଗିଚାପଡ଼ାର ଆଇନଜୀବୀ ଶ୍ରୀ ମୋହିତ କୁମାର ଦାସଙ୍କ ଧର୍ମପତ୍ନୀ ଶ୍ରୀମତୀ ନୀଲମ ପାଟ୍ଟଯୋଷୀ ପରମାନନ୍ଦପୁରସ୍ଥିତ ଏକ ଜମି କ୍ରୟ ପାଇଁ ଭବାନୀପାଟଣା ହିଲ୍ ଟାଉନ୍ସ୍ଥିତ ପ୍ରତାପ କୁମାର ପଟ୍ଟନାୟକ ଓ ତାଙ୍କ ପୁଅ ସୂରଜ ପ୍ରକାଶ ପଟ୍ଟନାୟକଙ୍କ ସହ ଚୁକ୍ତି କରିଥିଲେ। ଏହି ଚୁକ୍ତି ବାବଦରେ ୨୦୨୧ ମସିହାରେ ଶ୍ରୀମତୀ ପାଟ୍ଟଯୋଷୀ ୧୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ।
ପରବର୍ତ୍ତୀ ସମୟରେ ଉକ୍ତ ଜମି ବିବାଦୀୟ ବୋଲି ଜଣାପଡ଼ିବା ପରେ ଜମି କ୍ରୟ ଚୁକ୍ତି ବାତିଲ ହୋଇଥିଲା। ଏହାପରେ ଅଗ୍ରୀମ ଅର୍ଥ ଫେରସ୍ତ ପାଇଁ ସୂରଜ ପ୍ରକାଶ ପଟ୍ଟନାୟକ ଶ୍ରୀମତୀ ନୀଲମ ପାଟ୍ଟଯୋଷୀଙ୍କୁ ୯ ଲକ୍ଷ ୨୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ଅବଶିଷ୍ଟ ଅର୍ଥ ନଗଦ ଆକାରରେ ଫେରସ୍ତ କରାଯାଇଥିବା ଅଭିଯୋଗ ରହିଛି।
ପରେ ଶ୍ରୀମତୀ ପାଟ୍ଟଯୋଷୀ ଉକ୍ତ ଚେକ୍ଟି ନିଜ ବ୍ୟାଙ୍କ ଖାତାରେ ଜମା କରିଥିଲେ। ତେବେ ଚେକ୍ ପ୍ରଦାନକାରୀଙ୍କ ଖାତାରେ ପର୍ଯ୍ୟାପ୍ତ ଅର୍ଥ ନଥିବାରୁ ଚେକ୍ଟି ବ୍ୟାଙ୍କ ପକ୍ଷରୁ ଅନାଦୃତ ହୋଇ ଫେରସ୍ତ ଆସିଥିଲା।
ଏହାପରେ ଶ୍ରୀମତୀ ନୀଲମ ପାଟ୍ଟଯୋଷୀ ଭବାନୀପାଟଣା ଏସ୍ଡିଜେଏମ୍ ଅଦାଲତରେ 1CC No. ୫୧/୨୦୨୧ ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି ସମୟରେ ଉପସ୍ଥାପିତ ସାକ୍ଷ୍ୟ ଓ ପ୍ରମାଣକୁ ବିଚାର କରି ମାନ୍ୟବର ଏସ୍ଡିଜେଏମ୍ ଭବାନୀପାଟଣା ଶ୍ରୀମତୀ ଇ.ଅନୁରାଧା ଶର୍ମା ୨୫.୦୯.୨୦୨୬ ତାରିଖରେ ରାୟ ପ୍ରକାଶ କରି ସୂରଜ ପ୍ରକାଶ ପଟ୍ଟନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ରାୟ ଅନୁଯାୟୀ, ଦୋଷୀଙ୍କୁ ୧୨ ଲକ୍ଷ ଟଙ୍କା ପୈଠ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଅର୍ଥରାଶି ପୈଠ ନକଲେ ତାଙ୍କୁ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ଆଦେଶ ଦେଇଛନ୍ତି।
ଏହି ମାମଲାରେ ଅଭିଯୋଗକାରୀ ଶ୍ରୀମତୀ ନୀଲମ ପାଟ୍ଟଯୋଷୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୁନାଲ କୁମାର ବେହେରା ଓ ତାଙ୍କ ସହଯୋଗୀ ଆଇନଜୀବୀମାନେ ମାମଲା ପରିଚାଳନା କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)