NH-26 ଡେଲି ମାର୍କେଟ ସମ୍ମୁଖରେ ଅଳିଆ ଆବର୍ଜନାର ପାହାଡ଼, ପ୍ରଶାସନର ସ୍ୱଚ୍ଛତା ଅଭିଯାନକୁ ଉପହାସ! ଦୀର୍ଘଦିନ ଧରି ରାସ୍ତାକଡ଼ରେ ଜମିରହିଛି ଅଳିଆ, ଦୁର୍ଗନ୍ଧରେ ଅତିଷ୍ଠ ଜନସାଧାରଣ – ନିଦାବିଷ୍ଣୁ ସାଜିଛି କି ସ୍ଥାନୀୟ ପ୍ରଶାସନ?
କେସିଙ୍ଗା, (ଷ୍ଟାରନିୟୁଜ ଓଡ଼ିଶା): ସହରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଅନେକ ପଦକ୍ଷେପ ନିଆଯାଉଥିବା ଦାବି କରାଯାଉଛି। କିନ୍ତୁ କେସିଙ୍ଗା ସହରର ଜାତୀୟ ରାଜପଥ-୨୬ (NH-26) ଡେଲି ମାର୍କେଟ ସମ୍ମୁଖରେ ଦୀର୍ଘଦିନ ଧରି ଜମି ରହିଥିବା ଅଳିଆ ଆବର୍ଜନା ଏହି ଦାବିର ବାସ୍ତବତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।
ରାସ୍ତାକଡ଼ରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିଥିବାରୁ ସମଗ୍ର ଅଞ୍ଚଳରେ ଅସ୍ୱଚ୍ଛ ପରିବେଶ ସୃଷ୍ଟି ହେବା ସହ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଏହା ଅସୁବିଧାର କାରଣ ପାଲଟିଛି। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଛୋଟବଡ଼ ଯାନବାହନ ସହ ପାଦଚଲା ଯାତ୍ରୀ, ବ୍ୟବସାୟୀ ଓ ସାଧାରଣ ଲୋକ ଯିବାଆସିବା କରୁଛନ୍ତି। ଏଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଅଳିଆ ଆବର୍ଜନା ଜମି ରହିବା ସହରର ସ୍ୱଚ୍ଛତା ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।
ବିଶେଷକରି ଖୋଲା ସ୍ଥାନରେ ଅଳିଆ ଜମି ରହିଲେ ମାଛି, ମଶା ଓ ଅନ୍ୟାନ୍ୟ କୀଟପତଙ୍ଗ ବଂଶବୃଦ୍ଧି ସହ ଦୁର୍ଗନ୍ଧ ଏବଂ ସଂକ୍ରମଣର ଆଶଙ୍କା ରହିଛି। ବର୍ଷା ହେଲେ ଅଳିଆ ରାସ୍ତାରେ ବିଛାଡ଼ି ହୋଇ ପଡ଼ିବା ସହ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ। ଡେଲି ମାର୍କେଟ ଭଳି ବ୍ୟସ୍ତବହୁଳ ଅଞ୍ଚଳରେ ଏଭଳି ପରିସ୍ଥିତି ରହିବା ଜନସ୍ୱାସ୍ଥ୍ୟ ଓ ସହରର ପରିମଳ ବ୍ୟବସ୍ଥା ପାଇଁ ଚିନ୍ତାଜନକ ବିଷୟ।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ଅଧିକାରୀ ଓ ଜନପ୍ରତିନିଧି ଯାତାୟାତ କରୁଥିବା ସତ୍ତ୍ୱେ ଏହି ସମସ୍ୟା ସେମାନଙ୍କ ନଜରକୁ ଆସୁନାହିଁ କି? ନା ଜାଣିଶୁଣି ଏହାକୁ ଅଣଦେଖା କରାଯାଉଛି? ଯଦି ସହରର ମୁଖ୍ୟ ରାସ୍ତାକଡ଼ରେ ଏଭଳି ଅବସ୍ଥା, ତେବେ ଅନ୍ୟ ଅଞ୍ଚଳର ସ୍ୱଚ୍ଛତା ବ୍ୟବସ୍ଥା କିପରି ରହିଛି, ତାହା ସହଜରେ ଅନୁମାନ କରାଯାଇପାରେ।
ଏଣୁ କେସିଙ୍ଗା ଏନ୍ଏସି ଓ ସମ୍ପୃକ୍ତ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଅଳିଆ ଆବର୍ଜନା ସଫା କରିବା ସହ ନିୟମିତ ସଫେଇ ବ୍ୟବସ୍ଥା କରିବା, ଅଳିଆ ପକାଇବା ପାଇଁ ଉପଯୁକ୍ତ ସ୍ଥାନ ନିର୍ଦ୍ଧାରଣ ଏବଂ ଆବର୍ଜନା ନିୟମିତ ଉଠାଣ ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହେଉଛି।
ସ୍ୱଚ୍ଛ ସହର କେବଳ ପ୍ରଚାର ଓ ପୋଷ୍ଟରରେ ସୀମିତ ନ ରହି ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେବା ଆବଶ୍ୟକ। ଜନସାଧାରଣଙ୍କ ପ୍ରଶ୍ନ—କେବେ ମୁକ୍ତ ହେବ NH-26 ଡେଲି ମାର୍କେଟ ସମ୍ମୁଖର ଏହି ଅଳିଆ ଆବର୍ଜନା
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)