କୁସୁମଦେଇ ପାହାଡ଼ରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହରେ ରାସ୍ତାରୋକ, ନିରପେକ୍ଷ ତଦନ୍ତ ଦାବି ନିଖୋଜ ଅଭିଯୋଗ ପରେ ମିଳିଲା ମୃତଦେହ, ପୁଲିସର ତଦନ୍ତକୁ ନେଇ ପରିବାରର ଅସନ୍ତୋଷ; ଯାତାୟାତ ବାଧାପ୍ରାପ୍ତ
କଳାହାଣ୍ଡି, ୦୯/୧୧ (ଷ୍ଟାରନିୟୁଜ ଓଡ଼ିଶା): ନିଖୋଜ ଯୁବକଙ୍କ ମୃତଦେହ ଠାବ ହେବା ପରେ ଉତ୍ତେଜନା। ହତ୍ୟା ସନ୍ଦେହ ପ୍ରକାଶ କରି ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ପରିବାରବର୍ଗ ଓ ସମ୍ପର୍କୀୟ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା କୁସୁମଦେଇ ପାହାଡ଼ରୁ ଜଣେ ୨୩ ବର୍ଷୀୟ ଯୁବକଙ୍କ ଗଳିତ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମୃତ ଯୁବକ ହେଉଛନ୍ତି ସୁନ୍ଦର ପାତ୍ର। ପରିବାରବର୍ଗ ମୃତଦେହ ଚିହ୍ନଟ କରିଛନ୍ତି। ସୂଚନା ଅନୁଯାୟୀ, ସୁନ୍ଦର କିଛି ଦିନ ହେବ ନିଖୋଜ ଥିଲେ। ତାଙ୍କୁ ଖୋଜାଖୋଜି କରିବା ସହ ପରିବାର ପକ୍ଷରୁ ମଦନପୁର ରାମପୁର ଥାନାରେ ନିଖୋଜ ସମ୍ପର୍କିତ ଅଭିଯୋଗ ମଧ୍ୟ କରାଯାଇଥିଲା। ପୁଲିସ ଏନେଇ ନିଖୋଜ ମାମଲା ରୁଜୁ କରିଥିଲେ ମଧ୍ୟ ଯୁବକଙ୍କ ସନ୍ଧାନ ମିଳିନଥିଲା। ଶେଷରେ କୁସୁମଦେଇ ପାହାଡ଼ରୁ ତାଙ୍କର ଗଳିତ ମୃତଦେହ ମିଳିବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।
ଅନ୍ୟପକ୍ଷରେ, ସୁନ୍ଦରଙ୍କ ମୃତ୍ୟୁକୁ ନେଇ ପରିବାରବର୍ଗ ହତ୍ୟା ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଗଛରେ ଝୁଲାଇ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ନିଖୋଜ ଅଭିଯୋଗ ପରେ ପୁଲିସ ଯଦି ତ୍ୱରିତ ଓ ଗୁରୁତ୍ୱର ସହ ତଦନ୍ତ କରିଥାନ୍ତା, ତେବେ ହୁଏତ ଘଟଣାର ଅନ୍ୟ ତଥ୍ୟ ସାମ୍ନାକୁ ଆସିପାରିଥାନ୍ତା ବୋଲି ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।
ଘଟଣାର ନିରପେକ୍ଷ ତଦନ୍ତ, ମୃତ୍ୟୁ ପଛର ପ୍ରକୃତ କାରଣ ଉନ୍ମୋଚନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ପରିବାରବର୍ଗ ଓ ସମ୍ପର୍କୀୟମାନେ ମଦନପୁର ରାମପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ରାସ୍ତାରୋକ ଯୋଗୁଁ ଭୁବନେଶ୍ୱର, ଫୁଲବାଣୀ ଓ ବ୍ରହ୍ମପୁର ଆଦି ସହରକୁ ଯାତାୟାତ କରୁଥିବା ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ସମେତ ଅନ୍ୟାନ୍ୟ ଗାଡ଼ିଗୁଡ଼ିକୁ ବାଲିପଡ଼ା-ଜୁରାଡୋବ୍ରା ରାସ୍ତା ଦେଇ ବିକଳ୍ପ ପଥରେ ଯାତାୟାତ କରିବାକୁ ପଡ଼ୁଛି।
ତେବେ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଏଭଳି ସନ୍ଦେହଜନକ ଅବସ୍ଥାରେ ମିଳିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ପୁଲିସର ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପରିବାରକୁ ନ୍ୟାୟ ମିଳିବା ସହ ଘଟଣାର ସତ୍ୟାସତ୍ୟ ଶୀଘ୍ର ସାମ୍ନାକୁ ଆସିବା ଏବେ ସମସ୍ତଙ୍କ ଦାବି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)