ଗୋଲାମୁଣ୍ଡାରେ ବର୍ଷା ବିପନ୍ନଙ୍କ ସହାୟତାରେ ବିନ୍ଦୁମିନା ସେବା ଫାଉଣ୍ଡେସନ
ଗୋଲାମୁଣ୍ଡା, ୩୦/୦୭ (ଷ୍ଟାରନ୍ୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଗୋଲାମୁଣ୍ଡା ବ୍ଲକର ଅନେକ ପରିବାର ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ଜଳାବଦ୍ଧ ପରିସ୍ଥିତିରେ ଅନେକ ଗାଁ ଜଳମଗ୍ନ ହେବା ସହ ଗରିବ ପରିବାରଙ୍କ ଘରେ ପାଣି ପଶି ଘରୋଇ ସାମଗ୍ରୀ ନଷ୍ଟ ହୋଇଛି। କେତେକ ସ୍ଥାନରେ କଚ୍ଚା ଘର ଭୁଶୁଡ଼ି ପଡ଼ିଥିବାରୁ ପରିବାରଗୁଡ଼ିକ ଖୋଲା ଆକାଶ ତଳେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।
ଏପରି ଦୁର୍ଦ୍ଦଶାପୂର୍ଣ୍ଣ ସମୟରେ ବର୍ଷା ବିପନ୍ନଙ୍କ ସହାୟତା ପାଇଁ ବିନ୍ଦୁମିନା ସେବା ଫାଉଣ୍ଡେସନ ମାନବିକ ପଦକ୍ଷେପ ଗ୍ରହଣ କରିଛି। ଫାଉଣ୍ଡେସନ ପକ୍ଷରୁ ବ୍ଲକର ୨୮ଟି ପଞ୍ଚାୟତର ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଆବଶ୍ୟକୀୟ ରାସନ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।
ସ୍ୱେଚ୍ଛାସେବୀମାନେ ପ୍ରଭାବିତ ପରିବାରଙ୍କ ଘର ନିକଟରେ ପହଞ୍ଚି ଚାଉଳ, ଡାଲି, ରୋଷେଇ ତେଲ, ଲୁଣ, ମସଲା, ଆଳୁ, ବିସ୍କୁଟ, ସାବୁନ ଓ ଛତା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ। ସହାୟତା ସିଧାସଳଖ ଘର ଦୁଆରରେ ପହଞ୍ଚିବାରୁ ପ୍ରଭାବିତ ପରିବାରମାନେ ଫାଉଣ୍ଡେସନ ପ୍ରତି କୃତଜ୍ଞତା ଜଣାଇଥିଲେ।
ଏହି ସେବା କାର୍ଯ୍ୟରେ ଜୟନ୍ତ ସିଂ, ବସନ୍ତ ଚଲାନ, ଦୁର୍ଗେଶ ଅଗ୍ରୱାଲ, ବିଶି କେଶନ ଜ୍ୟୋତିଷ, ଭାଗ୍ୟବାନ ବାଗ, ବୈଶାଖୁ କେତକୀ, ଗଙ୍ଗା ବିଷ୍ଣୁ ମୁଣ୍ଡ, ପ୍ରମୋଦ ପ୍ରଧାନ, ଜୟକୃଷ୍ଣ ସାହୁଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ଦିନରାତି ପରିଶ୍ରମ କରି ରିଲିଫ୍ କାର୍ଯ୍ୟକୁ ସଫଳ କରିଥିଲେ।
ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ କହିଛନ୍ତି, "ବର୍ଷାରେ କ୍ଷତିଗ୍ରସ୍ତ ପ୍ରତ୍ୟେକ ପରିବାରଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ। ଆଗାମୀ ଦିନରେ ମଧ୍ୟ ଏହି ସେବା କାର୍ଯ୍ୟ ଜାରି ରହିବ।"
ସରକାରୀ ସହାୟତା ସହ ସାମାଜିକ ସଂଗଠନମାନଙ୍କ ଏଭଳି ମାନବିକ ପଦକ୍ଷେପ ବର୍ଷା ବିପନ୍ନଙ୍କ ପାଇଁ ଆଶାର କିରଣ ପାଲଟିଛି। ବିପଦ ସମୟରେ ସମାଜର ସହଯୋଗୀ ମନୋଭାବ ପୁଣିଥରେ ପ୍ରତିଫଳିତ ହୋଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)