ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ, ଶେଷରେ ଶବ ହୋଇ ଫେରିଲେ ସଞ୍ଜୁ! ଅସହାୟ ପରିବାରର ଦୁଃଖରେ ସାହାରା ସାଜିଲା ବିନ୍ଦୁମିନା ସେବା ଫାଉଣ୍ଡେସନ

Nov 09, 2026 - 23:24
0 10
ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ, ଶେଷରେ ଶବ ହୋଇ ଫେରିଲେ ସଞ୍ଜୁ! ଅସହାୟ ପରିବାରର ଦୁଃଖରେ ସାହାରା ସାଜିଲା ବିନ୍ଦୁମିନା ସେବା ଫାଉଣ୍ଡେସନ

କଳାହାଣ୍ଡି, ୦୯/୧୧ (ଷ୍ଟାରନିୟୁଜ ଓଡ଼ିଶା): ପରିବାରର ମୁହଁରେ ହସ ଫୁଟାଇବା ଏବଂ ପିଲାଛୁଆଙ୍କ ଭବିଷ୍ୟତ ଗଢ଼ିବା ଆଶା ନେଇ ଦାଦନ ଖଟିବାକୁ ପରଦେଶ ଯାଇଥିଲେ। ହେଲେ ବିଧିର ବିଡ଼ମ୍ବନା, ଆଉ ଜୀବନ୍ତ ଅବସ୍ଥାରେ ନୁହେଁ, ନିର୍ଜୀବ ଶରୀର ହୋଇ ଗାଁକୁ ଫେରିଲେ। ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁରେ ଏବେ ଅସହାୟ ହୋଇପଡ଼ିଛି ପୂରା ପରିବାର। ଏଭଳି ଏକ ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ର ବୃନ୍ଦାବାହାଲ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି।
ମୃତକ ହେଉଛନ୍ତି ଗ୍ରାମର ୩୨ ବର୍ଷୀୟ ସଞ୍ଜୁ ମଙ୍ଗରାଜ। ସୂଚନା ଅନୁଯାୟୀ, ଜୀବିକା ଅନ୍ୱେଷଣରେ ସେ ବେଙ୍ଗାଲୁରୁ ଯାଇଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସେଠାକାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟବଶତଃ ଗତ ୭ ତାରିଖ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୁଙ୍କ ମୃତ୍ୟୁ ହୋଇଥିଲା।
ତାଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ସମେତ ୧୨ ବର୍ଷର ଝିଅ ଓ ୭ ବର୍ଷର ପୁଅ ଅସହାୟ ହୋଇପଡ଼ିଛନ୍ତି। ଏପଟେ ଘରର ରୋଜଗାରିଆ ସଦସ୍ୟଙ୍କୁ ହରାଇ ଭାଙ୍ଗିପଡ଼ିଥିବା ପରିବାର ପାଇଁ ବେଙ୍ଗାଲୁରୁରୁ ମୃତଦେହକୁ ଜନ୍ମମାଟିକୁ ଆଣିବା ମଧ୍ୟ ଏକ ବଡ଼ ସମସ୍ୟା ପାଲଟିଥିଲା। ଆର୍ଥିକ ଅନଟନ ଯୋଗୁଁ ପରିବାର ପକ୍ଷରୁ ସୋସିଆଲ ମିଡିଆ ଜରିଆରେ ସହାୟତା ପାଇଁ ଆକୁଳ ନିବେଦନ କରାଯାଇଥିଲା।
ଏହି ଦୁଃଖଦ ଖବର ପାଇବା ପରେ ବିନ୍ଦୁମିନା ସେବା ଫାଉଣ୍ଡେସନର ସଭାପତି ତଥା ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ। ତାଙ୍କ ଉଦ୍ୟମରେ କୌଣସି ଖର୍ଚ୍ଚ ବିନା ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ବେଙ୍ଗାଲୁରୁରୁ ମୃତଦେହକୁ ଗାଁକୁ ଅଣାଯାଇଥିଲା। ଫଳରେ ପରିବାର ଲୋକେ ନିଜ ଜନ୍ମମାଟିରେ ସଞ୍ଜୁଙ୍କ ଶେଷକୃତ୍ୟ ସମ୍ପନ୍ନ କରିପାରିଥିଲେ। ଏଭଳି ଦୁଃସମୟରେ ଫାଉଣ୍ଡେସନର ଏହି ମାନବିକତାପୂର୍ଣ୍ଣ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।
ତେବେ ସଞ୍ଜୁଙ୍କ ମୃତ୍ୟୁ କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ, ବରଂ କଳାହାଣ୍ଡିରେ ଦାଦନ ସମସ୍ୟାର ଏକ କରୁଣ ବାସ୍ତବତାକୁ ପୁଣିଥରେ ସାମ୍ନାକୁ ଆଣିଛି। ନିଜ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାରର ସୁଯୋଗ ନଥିବାରୁ ଅନେକ ଶ୍ରମିକ ବାଧ୍ୟ ହୋଇ ପରିବାର ଛାଡ଼ି ରାଜ୍ୟ ବାହାରକୁ ଯାଉଛନ୍ତି। କିନ୍ତୁ ସେଠାରେ ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଜୀବନର ନିଶ୍ଚିତତା କେତେ ସୁରକ୍ଷିତ, ତାହା ଏବେ ଏକ ବଡ଼ ପ୍ରଶ୍ନ।
ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ସହ ଗ୍ରାମାଞ୍ଚଳରେ ବର୍ଷକୁ ଅନ୍ତତଃ ୩୦୦ ଦିନ କାମ ଯୋଗାଇଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ସରକାରଙ୍କ ନିକଟରେ ଦାବି ଉଠାଇଛନ୍ତି।
ଶେଷରେ ପ୍ରଶ୍ନ ଗୋଟିଏ ପରିବାରର ପେଟକୁ ଦାନା ଯୋଗାଇବା ପାଇଁ ଆଉ କେତେ ସଞ୍ଜୁଙ୍କୁ ଭିଟାମାଟି ଛାଡ଼ି ପରଦେଶ ଯିବାକୁ ପଡ଼ିବ? ଆଉ କେତେ ଶ୍ରମିକଙ୍କ ମୃତଦେହ ଫେରିବା ପରେ ସରକାରଙ୍କ ନିଦ ଭାଙ୍ଗିବ?

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User