ବାତ୍ୟା ‘ମୁରାସୁ’ ମୁକାବିଲା ପାଇଁ କଳାହାଣ୍ଡି ପ୍ରଶାସନ ସଜାଗ ୨୮ଟି ସ୍କୁଲରେ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Nov 02, 2026 - 16:45
0 24
ବାତ୍ୟା ‘ମୁରାସୁ’ ମୁକାବିଲା ପାଇଁ କଳାହାଣ୍ଡି ପ୍ରଶାସନ ସଜାଗ ୨୮ଟି ସ୍କୁଲରେ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭବାନୀପାଟଣା, ୨/୧୧ (ଷ୍ଟାରନିୟୁଜ ଓଡ଼ିଶା): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ନଭେମ୍ବର ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ପବନର ସମ୍ଭାବନା ଥିବାରୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆଭାସୀ ବୈଠକରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି।
ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା ସହ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ବିପଦସଙ୍କୁଳ ଅଞ୍ଚଳରେ ଆଗୁଆ ସତର୍କତା, ନଦୀକୂଳ ଗ୍ରାମରେ ମାଇକ୍‌ ଯୋଗେ ପ୍ରଚାର ଏବଂ ଜିଲ୍ଲା, ବ୍ଲକ୍‌ ଓ ତହସିଲ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା କରାଯାଇଛି। ୨୮ଟି ସ୍କୁଲରେ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ସହ ଖାଦ୍ୟ, ପଲିଥିନ୍‌, ଔଷଧ ଓ ରନ୍ଧାଖାଦ୍ୟ ମହଜୁଦ ରଖାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ୧୯୦୦ଟି ସାପକାମୁଡ଼ା ଇଞ୍ଜେକ୍ସନ ଉପଲବ୍ଧ ରହିଛି।
ସମ୍ଭାବ୍ୟ ବନ୍ୟା ଓ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରେ ଆଗୁଆ ପଦକ୍ଷେପ ନେବା ସହ ଗର୍ଭବତୀ ମହିଳା ଓ ବିପଦସଙ୍କୁଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ନଭେମ୍ବର ୩ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ରାସ୍ତାଘାଟ, ବିଦ୍ୟୁତ୍‌, ପାନୀୟ ଜଳ, ଟେଲିକମ୍‌, ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User