ରେଗଡାରେ ସେବା ଓ ଦେଶଭକ୍ତିର ସମନ୍ୱୟରେ ୮୦ତମ ସ୍ୱାଧୀନତା ଦିବସ
ରେଗଡା, ୧୫/୮ (ଷ୍ଟାରନ୍ୟୁଜ ଓଡିଶା):
ଦେଶଭକ୍ତିର ଉତ୍ସାହ ସାଙ୍ଗକୁ ମାନବସେବାର ନିଆରା ବାର୍ତ୍ତା ଦେଇ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡାସ୍ଥିତ Developed Association for Uncared Destitute ପରିସରରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଛି।
ଅନୁଷ୍ଠାନର ଡାଇରେକ୍ଟର ଯାକୁବ କୁମାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମାରୋହରେ ରେଗଡା ସରପଞ୍ଚ ଶ୍ରୀମତୀ ଦିପ୍ତିରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଓ ମାତୃଭୂମି ପାଇଁ ପ୍ରାଣବଳି ଦେଇଥିବା ବୀର ସହିଦମାନଙ୍କ ଅମର ତ୍ୟାଗକୁ ସ୍ମରଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ସମାରୋହରେ ମ୍ୟାନେଜିଂ ବୋର୍ଡର ସମ୍ପାଦକ ଧର୍ମରାଜ ତାଣ୍ଡି, ସରପଞ୍ଚ ଶ୍ରୀମତୀ ଦିପ୍ତିରାଣୀ ସାହୁ, ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପ୍ରତ୍ୟୁଷ ରଞ୍ଜନ କୁମାର, କର୍ମଚାରୀ, ଗ୍ରାମବାସୀ, ବୁଦ୍ଧିଜୀବୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ ଶିଶୁ ଉପସ୍ଥିତ ଥିଲେ। ତ୍ରିରଙ୍ଗା ହାତରେ ଧରି ଶିଶୁମାନଙ୍କ ଦେଶପ୍ରେମର ଉତ୍ସାହ ପ୍ରକାଶ କରିବାର ଦୃଶ୍ୟ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା।
ଏହି ଅବସରରେ ସରପଞ୍ଚ ଶ୍ରୀମତୀ ସାହୁ ଦେଶର ବିକାଶ ସହ ଏକ ସୁସ୍ଥ, ସଚେତନ ଓ ସଶକ୍ତ ସମାଜ ଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସମାଜର ଦୁର୍ବଳ, ଅସହାୟ ଓ ଅବହେଳିତ ବର୍ଗଙ୍କ ପ୍ରତି ସମ୍ବେଦନଶୀଳ ହୋଇ ସହଯୋଗର ହାତ ବଢ଼ାଇବା ଏକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।
ସ୍ୱାଧୀନତା ଦିବସକୁ ସେବାର ଏକ ଅବସରରେ ପରିଣତ କରି ଅନୁଷ୍ଠାନ ପକ୍ଷରୁ ବୃଦ୍ଧା ଓ ବିଧବା ମହିଳାମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା। ଅସହାୟ ମହିଳାମାନଙ୍କୁ ସମ୍ମାନ ଓ ସହଯୋଗ ପ୍ରଦାନ କରାଯାଇଥିବାରୁ କାର୍ଯ୍ୟକ୍ରମଟି ଏକ ମାନବିକ ସନ୍ଦେଶ ବହନ କରିଥିଲା। ଦେଶପ୍ରେମ ସହ ମାନବସେବାର ଏହି ପ୍ରୟାସକୁ ଉପସ୍ଥିତ ଲୋକେ ପ୍ରଶଂସା କରିଥିଲେ।
ଏହା ସହ ରେଗଡା ପଞ୍ଚାୟତକୁ ଅଧିକ ସୁସ୍ଥ, ସଚେତନ ଓ ବିକଶିତ କରିବା ସହ “ସୁସ୍ଥ ସମାଜ, ସଶକ୍ତ ଭାରତ” ଗଠନ ପାଇଁ ଉପସ୍ଥିତ ସମସ୍ତେ ସାମୂହିକ ସଂକଳ୍ପ ନେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଦେଶର ଏକତା, ଅଖଣ୍ଡତା, ଶାନ୍ତି ଓ ସମୃଦ୍ଧିକୁ ଅକ୍ଷୁଣ୍ଣ ରଖିବା ସହ ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହି ଦେଶ ଗଠନରେ ଭାଗୀଦାର ହେବାକୁ ଆହ୍ୱାନ ଦିଆଯାଇଥିଲା।


What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)