ସାଗର ଚରଣ ଦାସଙ୍କୁ ପୋଲିସ ଦୁର୍ବ୍ୟବହାର ଅଭିଯୋଗ କଳାହାଣ୍ଡି କଂଗ୍ରେସର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର
କେସିଙ୍ଗା, ୩/୧୦ (ଷ୍ଟାରନିୟୁଜ ଓଡ଼ିଶା):ଭୁବନେଶ୍ୱରରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କ ସହ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ସହ ବିଧାୟକଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କଂଗ୍ରେସ ଦାବି କରିଛି।
ଏନେଇ ଜିଲ୍ଲା କଂଗ୍ରେସର ନେତା ଓ କର୍ମୀମାନେ ଭବାନୀପାଟଣାସ୍ଥିତ ଗାନ୍ଧୀଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।
କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହ ଜଣେ ପୋଲିସ ଅଧିକାରୀ ଅସମ୍ମାନଜନକ ଭାବେ ବ୍ୟବହାର କରିଛନ୍ତି। ବିକ୍ଷୋଭକାରୀମାନେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିୟମାନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଓ ବିଧାୟକଙ୍କୁ କ୍ଷମା ମାଗିବା ଦାବି ଉଠାଇଥିଲେ।
ପରେ ଏହି ଦାବିଗୁଡ଼ିକ ସମ୍ବଳିତ ଏକ ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ସମୟରେ କଂଗ୍ରେସ ନେତାମାନେ ରାଜ୍ୟର ପୋଲିସ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ମଧ୍ୟ ନିଜ ଅଭିଯୋଗ ଓ ଦାବି ଉପସ୍ଥାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ, ଭବାନୀପାଟଣା ବିଧାୟକଙ୍କ ପ୍ରତିନିଧି ଧନୁର୍ଦ୍ଧର ଗହୀର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଗତି ନାୟକ, ମୋହମ୍ମଦ ସାହେବଙ୍କ ସମେତ ଯୁବ, ଯୁବତୀ ଓ ମହିଳା କଂଗ୍ରେସର ବହୁ କର୍ମୀ ଏବଂ ଜିଲ୍ଲା ଓ ବ୍ଲକସ୍ତରୀୟ ନେତା ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)