କଳାହାଣ୍ଡିରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ SIR-୨୦୨୬ ପରେ ୫ ବିଧାନସଭା କ୍ଷେତ୍ରରେ ଭୋଟର ସଂଖ୍ୟା ୧୧.୪୦ ଲକ୍ଷ
ଭବାନୀପାଟଣା, ୨୧/୦୯ (ଷ୍ଟାରନିୟୁଜ ଓଡ଼ିଶା):ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ଶେଷ ପରେ କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ପ୍ରକାଶ ପାଇଛି। ଜିଲ୍ଲାର ୧୭୦୫ଟି ବୁଥରେ ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଛି।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ତତ୍ତ୍ୱାବଧାନରେ ଓସ୍ୱାନ ହଲ୍ରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ଦିଗ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ସୂଚନା ଦିଆଯାଇଥିଲା।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ୭୭-ଲାଞ୍ଜିଗଡ, ୭୮-ଜୁନାଗଡ଼, ୭୯-ଧର୍ମଗଡ଼, ୮୦-ଭବାନୀପାଟଣା ଏବଂ ୮୧-ନର୍ଲା ବିଧାନସଭା କ୍ଷେତ୍ରରେ SIR-୨୦୨୬ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥିଲା। ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପରେ ଜୁଲାଇ ୫ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯାଇଥିଲା। ମିଳିଥିବା ଦାବି ଓ ଆପତ୍ତିର ନିୟମାନୁସାରେ ଯାଞ୍ଚ ଓ ଶୁଣାଣି ପରେ ସେପ୍ଟେମ୍ବର ୧୭ ସୁଦ୍ଧା ନିଷ୍ପତ୍ତି ନିଆଯାଇଥିଲା।
ଯାଞ୍ଚ ପ୍ରକ୍ରିୟାରେ ଆବଶ୍ୟକ ନୋଟିସ୍ ଜାରି, ଦସ୍ତାବିଜ ଯାଞ୍ଚ ଏବଂ ସମ୍ପୃକ୍ତ ରେକର୍ଡ ପରୀକ୍ଷା କରାଯାଇଥିଲା। ଏହା ପରେ ଯୋଗ୍ୟ ନୂତନ ଭୋଟରଙ୍କ ନାମ ଯୋଡ଼ାଯିବା ସହିତ ଆବଶ୍ୟକ ସଂଶୋଧନ କରାଯାଇଛି। ମୃତ, ଏକାଧିକ ଥର ପଞ୍ଜୀକୃତ ଏବଂ ସ୍ଥାନାନ୍ତରିତ ଭୋଟରଙ୍କ ଏଣ୍ଟ୍ରି ନିୟମାନୁସାରେ ବାଦ ଦିଆଯାଇଛି।
୫ଟି ନିର୍ବାଚନମଣ୍ଡଳୀର ଚିତ୍ର
SIR ପୂର୍ବ ଚିଠା ତାଲିକାରେ ଜିଲ୍ଲାରେ ମୋଟ ୧୨,୦୮,୬୪୫ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହି ସଂଖ୍ୟା ୧୧,୩୯,୯୭୦କୁ ହ୍ରାସ ପାଇଛି।
୭୭-ଲାଞ୍ଜିଗଡ଼: ୨,୨୯,୫୪୦ → ୨,୧୪,୦୦୫
୭୮-ଜୁନାଗଡ଼: ୨,୪୪,୮୮୦ → ୨,୩୪,୮୪୪
୭୯-ଧର୍ମଗଡ଼: ୨,୬୩,୦୪୯ → ୨,୪୯,୨୬୫
୮୦-ଭବାନୀପାଟଣା: ୨,୩୭,୫୮୯ → ୨,୨୦,୭୨୨
୮୧-ନର୍ଲା: ୨,୩୩,୫୮୭ → ୨,୨୧,୦୯୪
ଚୂଡ଼ାନ୍ତ ତାଲିକାରେ ମୋଟ ୫,୭୬,୫୬୫ ଜଣ ପୁରୁଷ, ୫,୬୩,୩୪୮ ଜଣ ମହିଳା ଏବଂ ୫୭ ଜଣ ତୃତୀୟଲିଙ୍ଗ ଭୋଟର ରହିଛନ୍ତି।
ଜିଲ୍ଲାର ମୋଟ ଜନସଂଖ୍ୟା ୧୭,୪୪,୬୭୯ ଥିବା ସୂଚନା ଦିଆଯାଇଛି। ଏଥିରେ ପୁରୁଷ ୮,୭୩,୩୬୩ ଏବଂ ମହିଳା ୮,୭୧,୩୧୬ ଜଣ ଅଛନ୍ତି।
ଏହି ଅବସରରେ ୭୭-ଲାଞ୍ଜିଗଡ଼ର ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ୮୦-ଭବାନୀପାଟଣାର ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ କସ୍ତୁରୀ ସା, ଡେପୁଟୀ କଲେକ୍ଟର ନିର୍ବାଚନ ଅବିନାଶ ଦଳେଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।
ସେହିପରି ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ୭୮-ଜୁନାଗଡ଼ ଓ ୭୯-ଧର୍ମଗଡ଼ ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କାର୍ଯ୍ୟକ୍ରମ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା।
ଓସ୍ୱାନ ହଲ୍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ସୁଧୀର ମୁଣ୍ଡ ଓ ଭବାନୀ ନିଆଲ, କଂଗ୍ରେସର ଉତ୍ସବ ସାହୁ, ବିଜେଡିର କ୍ଷୀରସିନ୍ଧୁ ସାହୁ, ସୀତାରାମ ନାୟକ ଓ ଆଶୁତୋଷ ପୁରୋହିତ, ବିଏସ୍ପିର ମୁସ୍ତାକ ଖାନ୍ଙ୍କ ସମେତ ବିଭିନ୍ନ ଦଳର ପ୍ରତିନିଧି ଓ ଅଧିକାରୀମାନେ ଯୋଗ ଦେଇଥିଲେ।
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)