କେସିଙ୍ଗା ବ୍ଲକ କାର୍ଯ୍ୟାଳୟରେ ପାଳିତ ହେଲା କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହ ୭୭ତମ ବର୍ଷରେ କଳାହାଣ୍ଡି; ବିକାଶ ଓ ସମୃଦ୍ଧିର ସଂକଳ୍ପ ନେଲେ ଜନପ୍ରତିନିଧି ଓ କର୍ମକର୍ତ୍ତା
କେସିଙ୍ଗା, ୧/୧୧ (ଷ୍ଟାରନ୍ୟୁଜ୍ ଓଡ଼ିଶା): ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ମାଟି କଳାହାଣ୍ଡି ଆଜି ବିକାଶର ନୂଆ ଦିଗରେ ଅଗ୍ରସର। ଦିନେ ଅନାହାର, ଅଭାବ ଓ ଅନାଟନ ପାଇଁ ଚର୍ଚ୍ଚିତ ଏହି ଜିଲ୍ଲା ଆଜି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି। ୧୯୪୯ ମସିହା ନଭେମ୍ବର ୧ ତାରିଖରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିବା କଳାହାଣ୍ଡି ୭୬ ବର୍ଷର ଯାତ୍ରା ପୂରଣ କରି ୭୭ତମ ବର୍ଷରେ ପଦାର୍ପଣ କରିଛି। ଏହି ଐତିହାସିକ ଦିବସକୁ ସ୍ମରଣୀୟ କରିବା ପାଇଁ କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକ ପ୍ରଶାସନ ପକ୍ଷରୁ ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି।
ଜନପ୍ରତିନିଧି ଓ ମହିଳା ଗୋଷ୍ଠୀଙ୍କ ଉପସ୍ଥିତିରେ ଉତ୍ସବ
କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ମଞ୍ଚ ପୂଜା ପରେ ଆରମ୍ଭ ହୋଇଥିଲା ଆନୁଷ୍ଠାନିକ ସଭାକାର୍ଯ୍ୟ। ଏଥିରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା ବେଳେ ବିଡିଓ ଜନ୍ମଜୟ ସ୍ୱାଇଁ ଓ ଏବିବିଡିଓ ଶୀଧେଶ୍ୱର ମେହେର ଙ୍କ ସମେତ ବ୍ଲକ ଅଧୀନ ୨୬ଟି ପଞ୍ଚାୟତର ସରପଞ୍ଚ, ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା, କ୍ଲଷ୍ଟର ରିସୋର୍ସ ପର୍ସନ (CRP), ଏମ୍ବିକେ, କେସିଙ୍ଗା ଆଦର୍ଶ ବିଦ୍ୟାଳୟ ଛାତ୍ରୀ, କେସିଙ୍ଗା ସରକାରୀ ଗାର୍ଲସ ହାଇସ୍କୁଲ, ପଞ୍ଚାୟତ ପିଇଅ, ଜି ଆର ଏସ, ସମିତି ସଭ୍ୟା, ସଭ୍ୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳାମାନେ ଉପସ୍ଥିତ ଥିଲେ।
ବିକଶିତ କଳାହାଣ୍ଡି ଗଠନ ଉପରେ ଗୁରୁତ୍ୱ
ସଭାରେ ଅତିଥିମାନେ କଳାହାଣ୍ଡି ଜିଲ୍ଲାର ଐତିହାସିକ ଯାତ୍ରା, ବର୍ତ୍ତମାନର ବିକାଶ ଓ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ବିକାଶର ସୁଫଳ ପହଞ୍ଚାଇବା ସହ ଗ୍ରାମାଞ୍ଚଳର ଉନ୍ନତି, ମହିଳା ସଶକ୍ତୀକରଣ ଓ ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ବିଭିନ୍ନ ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କଳାହାଣ୍ଡିର ସମୃଦ୍ଧ ପରମ୍ପରା ଓ ସାଂସ୍କୃତିକ ବିବିଧତାକୁ ଉଜ୍ଜୀବିତ କରାଯାଇଥିଲା।
ଜିଲ୍ଲା ଗଠନ ଦିବସ କେବଳ ଅତୀତର ଗୌରବକୁ ସ୍ମରଣ କରିବାର ଅବସର ନୁହେଁ, ବରଂ ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ବିକଶିତ କଳାହାଣ୍ଡି ଗଠନ ପାଇଁ ସାମୂହିକ ସଂକଳ୍ପର ଦିନ। ଏହି ଭାବନା ସହ କେସିଙ୍ଗା ବ୍ଲକରେ ଜିଲ୍ଲା ଗଠନ ଦିବସ ପାଳନ କରାଯାଇଥିଲା।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)