ନୂଆଁଖାଇ ଭେଟଘାଟ ପାଇଁ ଯାଦବ ମହାସଭାର ପ୍ରସ୍ତୁତି ବୈଠକ ସାମାଜିକ ଏକତା, ଶିକ୍ଷା ଓ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ
ଭବାନୀପାଟଣା, ୯/୮ (ଷ୍ଟାରନ୍ୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଯାଦବ ମହାସଭା ପକ୍ଷରୁ ଆଗାମୀ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ସଫଳ ଓ ଭବ୍ୟ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଦେବରାଜ ଗହୀରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଯାଦବ ସମାଜର ବିଭିନ୍ନ ସମସ୍ୟା, ସାମାଜିକ ଏକତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ସଦର ବ୍ଲକ ଯାଦବ ମହାସଭାର ସମ୍ପାଦକ ରଥୁରାମ ବାଗ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ଜଣାଇ ନୂଆଁଖାଇ ଭେଟଘାଟ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, କୌଳିକ ବୃତ୍ତିର ସୁରକ୍ଷା, ନିଶାମୁକ୍ତ ସମାଜ ଗଠନ, ଯାଦବ ସମ୍ବିଧାନ କାର୍ଯ୍ୟକାରୀ କରିବା ଏବଂ ନୂତନ ଆଞ୍ଚଳିକ ଯାଦବ ସମିତି ଗଠନ ନେଇ ଆଲୋଚନା ହୋଇଥିଲା। ଏଥିସହ ବ୍ଲକ ଯୁବ ଯାଦବ ସମିତି ଓ ମହିଳା ସମିତି ଗଠନ, ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଯାଦବ ସମାଜର କଳା, ସଂସ୍କୃତି ଓ ପାରମ୍ପରିକତାର ପୁନରୁଦ୍ଧାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଯାଦବ ସମାଜର ସାମାଜିକ, ଆର୍ଥିକ ଓ ରାଜନୈତିକ ଅଧିକାର, ସାମାଜିକ ଏକତା ଓ ଭାଇଚାରାକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ ସମାଜର ମୁଖ୍ୟଧାରାରେ ସକ୍ରିୟ କରିବା ଉପରେ ମଧ୍ୟ ମତବିନିମୟ ହୋଇଥିଲା। ବ୍ଲକସ୍ତରୀୟ ନୂଆଁଖାଇ ଭେଟଘାଟକୁ ଏକତା, ସଂସ୍କୃତି ଓ ପରମ୍ପରାର ମିଳନ ମଞ୍ଚ ଭାବେ ପରିଣତ କରିବାକୁ କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ।
ବୈଠକରେ ଜିଲ୍ଲା ଉପସଭାପତି ଜଗଦୀଶ ଯାଦବ, ଜିଲ୍ଲା ଉପଦେଷ୍ଟା ସଭ୍ୟ ଲିଙ୍ଗରାଜ ଗହୀର, କୋଷାଧ୍ୟକ୍ଷ ମଳୟ କୁମାର ଗଉଡ଼, ଉପସଭାପତି ଝସକେତନ ଗଉଡ଼, ରାଜୀବ ଲୋଚନ ଜୁଆଡ଼ ଓ ଉପେନ୍ଦ୍ର ଚଲାନ, ପୂର୍ବତନ ସମ୍ପାଦକ କୀର୍ତ୍ତି ଚନ୍ଦ୍ର ଗଉଡ଼, ମାଲଗାଁ ଆଞ୍ଚଳିକ ଯାଦବ ସମିତି ସଭାପତି ସୁରେଶ ଚନ୍ଦନଙ୍କ ସମେତ ଲୋକନାଥ ଜାଲ, ଦୁର୍ଯୋଧନ ଗଉଡ଼ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
କଳାହାଣ୍ଡିଆ ଜିଲ୍ଲାପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)