ପୁଣି ଦାଉ ସାଧିଲା ଗୁଗୁଲ ମ୍ୟାପ୍! ସିଙ୍ଗାରୀ ଘାଟିରେ ୧୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଫସିଲା କାଠ ବୋଝେଇ ଟ୍ରକ୍ ରାସ୍ତା ଅବରୋଧରୁ ଯାତାୟାତ ଠପ୍; ରଶିରେ ବାନ୍ଧି ବାଇକ୍ ଟାଣି ଘାଟି ପାର୍ ହେଲେ ଲୋକେ, ପ୍ରଶାସନର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ
କଳାହାଣ୍ଡି, ୦୭/୧୧ (ଷ୍ଟାର ନ୍ୟୁଜ୍ ଓଡ଼ିଶା): ପୁଣି ଥରେ ଗୁଗୁଲ ମ୍ୟାପ୍ ଉପରେ ଅନ୍ଧଭାବେ ଭରସା କରିବାର ପରିଣାମ ଭୋଗିବାକୁ ପଡ଼ିଛି ଏକ ଭାରୀ ଯାନର ଚାଳକଙ୍କୁ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରୀ ଘାଟିର ଏକ ବିପଜ୍ଜନକ ମୋଡ଼ରେ କାଠ ବୋଝେଇ ଟ୍ରକ୍ଟି ଫସି ରହିବାରୁ ଦୀର୍ଘ ୧୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁଯାୟୀ, କୋରାପୁଟରୁ ଛତିଶଗଡ଼ର ରାୟପୁର ଜିଲ୍ଲା ରାଜିମ ଅଭିମୁଖେ ଯାଉଥିବା ଏକ କାଠ ବୋଝେଇ ଟ୍ରକ୍ ଗତକାଲି ବିଳମ୍ବିତ ରାତିରେ ସିଙ୍ଗାରୀ ଘାଟି ରାସ୍ତାର ଏକ ବୁଲାଣିରେ ଫସି ଯାଇଥିଲା। ଶନିବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ମଧ୍ୟ ଟ୍ରକ୍ଟିକୁ ହଟାଯାଇ ପାରିନଥିଲା। ଫଳରେ ଉଭୟ ପାର୍ଶ୍ୱରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ରାସ୍ତା ଅବରୋଧ ଯୋଗୁଁ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଯାତ୍ରୀ ପର୍ଯ୍ୟନ୍ତ ସମସ୍ତେ ନାହିଁ ନଥିବା ହଇରାଣ ହୋଇଥିଲେ। କାର୍ଯ୍ୟାଳୟରେ ସମୟରେ ପହଞ୍ଚିବା ଜରୁରୀ ଥିବାରୁ କେତେକ ଲୋକ ଜୀବନକୁ ବିପଦରେ ପକାଇ ରଶି ସାହାଯ୍ୟରେ ବାଇକ୍ଗୁଡ଼ିକୁ ଘାଟି ଉପରକୁ ଟାଣି ନେବା ସହ ତଳକୁ ଓହ୍ଲାଇଥିବା ଦେଖାଯାଇଥିଲା। ଏହି ରାସ୍ତା ଦେଇ ଥୁଆମୂଳ ରାମପୁର ବିଡିଓ ଧ୍ରୁବଚରଣ ମୁଦୁଲି, କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମଙ୍କ ସମେତ ଶିକ୍ଷକ ଓ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ମଧ୍ୟ ନିଜ ନିଜ କାର୍ଯ୍ୟସ୍ଥଳକୁ ଯିବା ପାଇଁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ।
ଅନ୍ୟପକ୍ଷରେ ସାମଗ୍ରୀ ପରିବହନ କରୁଥିବା ପିକ୍ଅପ୍ ଭ୍ୟାନ୍ ଏବଂ ପାରିବାରିକ ଓ ସାମାଜିକ କାର୍ଯ୍ୟରେ ଯାଉଥିବା ଚାରିଚକିଆ ଯାନଗୁଡ଼ିକ ଆଗକୁ ଯାଇ ନପାରି ବାଧ୍ୟ ହୋଇ ଫେରିଥିଲେ। କିଛି ଯାତ୍ରୀ ବାଧ୍ୟ ହୋଇ ବିକଳ୍ପ ମହୁଲପାଟଣା ଘାଟି ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ।
ସବୁଠାରୁ ଉଦ୍ବେଗଜନକ ବିଷୟ ହେଉଛି, ସିଙ୍ଗାରୀ ଘାଟି ରାସ୍ତାରେ ଭାରୀ ଯାନ ଚଳାଚଳ ଉପଯୁକ୍ତ କି ନୁହେଁ, ସେନେଇ ରାସ୍ତା ଦାୟିତ୍ୱରେ ଥିବା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା କିମ୍ବା ନିଷେଧାଦେଶ ସମ୍ପର୍କିତ ସତର୍କତାମୂଳକ ଫଳକ ଲଗାଯାଇନଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଗୁଗୁଲ ମ୍ୟାପ୍ରେ ଏହି ରାସ୍ତା ଦେଖାଯାଉଥିବାରୁ ଅଜଣା ଚାଳକମାନେ ଏହି ବିପଦପୂର୍ଣ୍ଣ ରାସ୍ତାରେ ପ୍ରବେଶ କରି ଅସୁବିଧାରେ ପଡ଼ୁଛନ୍ତି। ସଂପୃକ୍ତ ଟ୍ରକ୍ ଚାଳକ ମଧ୍ୟ ଗୁଗୁଲ ମ୍ୟାପ୍ ଉପରେ ଭରସା କରି ଏଭଳି ସମସ୍ୟାରେ ଫସିଥିବା ଜଣାପଡ଼ିଛି।
ଏବେ ପ୍ରଶ୍ନ ଉଠୁଛି, ଏହି ଘାଟି ରାସ୍ତାରେ ଭାରୀ ଯାନ ଚଳାଚଳ ପାଇଁ କିଏ ଅନୁମତି ଦେଇଛି? ଯଦି ଏହି ରାସ୍ତା ଭାରୀ ଯାନ ପାଇଁ ଉପଯୁକ୍ତ ନୁହେଁ, ତେବେ ଆଗୁଆ ସତର୍କ ସୂଚନା ଫଳକ କାହିଁକି ଲଗାଯାଇନାହିଁ? ବାରମ୍ବାର ଏଭଳି ଘଟଣା ଘଟୁଥିବା ସତ୍ତ୍ୱେ ସ୍ଥାୟୀ ସମାଧାନ କାହିଁକି ହୋଇପାରୁନାହିଁ?
ଜନସାଧାରଣଙ୍କ ଯାତାୟାତ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପରିବହନ ବିଭାଗ ଏବଂ ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସିଙ୍ଗାରୀ ଘାଟିରେ ଭାରୀ ଯାନ ଚଳାଚଳ ନେଇ ସ୍ପଷ୍ଟ ନିୟମ ଜାରି କରିବା ସହ ସତର୍କତାମୂଳକ ସୂଚନା ଫଳକ ଲଗାଇବାକୁ ସାଧାରଣରେ ଦାବି ହେଉଛି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)