ବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ପାଳିତ ସଂସ୍କୃତ ଭାଷାର ସୁରକ୍ଷା ସହ କ୍ରୀଡ଼ାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ
କେସିଙ୍ଗା, ୨୯/୮( ଷ୍ଟାରନିୟୁଜ ଓଡିଶା) କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ବିଶ୍ୱ ସଂସ୍କୃତ ଦିବସ ପାଳନ ହୋଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ମା’ ସରସ୍ୱତୀ, ଶ୍ରୀଗଣେଶ ଓ ମହାକବି କାଳିଦାସଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଛାତ୍ରୀମାନେ ବେଦମନ୍ତ୍ର ଓ ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରିଥିଲେ।
ସଭାପତି ଶ୍ରୀ ବେହେରା ନିଜ ବକ୍ତବ୍ୟରେ ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ, ବରଂ ଭାରତୀୟ ସାହିତ୍ୟ, ଦର୍ଶନ, ବିଜ୍ଞାନ ଓ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଆଧାର ବୋଲି କହିଥିଲେ। ନୂତନ ପିଢ଼ି ମଧ୍ୟରେ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଓ ଭଲପାଇବା ସୃଷ୍ଟି କରିବା ସହ ଏହାର ସୁରକ୍ଷା ଓ ପ୍ରସାର ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ନାୟକ “ସଂସ୍କୃତଂ ସଂସ୍କୃତିଃ ଭାରତସ୍ୟ ଗୌରବମ୍” ବାର୍ତ୍ତା ଦେଇ ସଂସ୍କୃତ ଭାଷାର ମହତ୍ତ୍ୱ ଓ ଏହାର ସୁରକ୍ଷା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଶିକ୍ଷକ କହ୍ନେଇଲାଲ ସାହୁ ଓ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ମଧ୍ୟ ସଂସ୍କୃତ ଭାଷାର ମହନୀୟତା ସମ୍ପର୍କରେ ମତ ରଖିଥିଲେ।
ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରୀ ସ୍ୱପ୍ନା ମହଲା, ଝରଣା ମହଲା ଓ ଉର୍ମିଳା ପଟ୍ଟନାୟକ ନିଜ ଅନୁଭୂତି ବିନିମୟ କରିଥିଲେ। ଛାତ୍ରୀମାନେ ସଂସ୍କୃତ ଭାଷଣ, ଶ୍ଳୋକ ଆବୃତ୍ତି, ସଂସ୍କୃତ ଗୀତ ଓ କବିତା ପାଠ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ଶେଷରେ ପୁରସ୍କୃତ କରାଯାଇଥିଲା। ଦଶମ ଶ୍ରେଣୀର ଛାତ୍ରୀ ସ୍ମୃତିରେଖା ଜାଲ୍ ଚମତ୍କାର ଭାବେ ମଞ୍ଚ ସଞ୍ଚାଳନ କରିଥିଲେ।
ପରେ ଦ୍ୱିତୀୟ ପର୍ଯ୍ୟାୟରେ ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଥିଲା। ଏହି ଅବସରରେ ପ୍ରଧାନଶିକ୍ଷକ ଶ୍ରୀ ବେହେରା ପାଠପଢ଼ା ସହିତ ଖେଳକୁଦର ସମାନ ଗୁରୁତ୍ୱ ରହିଛି ବୋଲି କହିଥିଲେ। ଛାତ୍ରଛାତ୍ରୀମାନେ ପ୍ରତିଦିନ କିଛି ସମୟ ଖେଳକୁଦରେ ଅତିବାହିତ କରି ଶାରୀରିକ ଓ ମାନସିକ ବିକାଶ ଦିଗରେ ଆଗେଇବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।
କ୍ରୀଡ଼ା ଦିବସ କାର୍ଯ୍ୟକ୍ରମରେ ଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ବିଭିନ୍ନ କ୍ରୀଡ଼ା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ସହଯୋଗରେ ଉଭୟ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)