ରଙ୍କାବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକ ବଦଳି ବାତିଲ ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ତୀବ୍ର ପ୍ରତିବାଦ
କଳାହାଣ୍ଡି, ୦୧/୧୦ (ଷ୍ଟାରନିୟୁଜ ଓଡିଶା):ଶିକ୍ଷକ ଅଭାବରେ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ କରି ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ରଙ୍କାବାହାଲ ଗ୍ରାମର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ତାଲା ପକାଇ ତୀବ୍ର ପ୍ରତିବାଦ କରିଛନ୍ତି। ଶିକ୍ଷକ ବଦଳି ବାତିଲ କରିବା ସହ ବିଦ୍ୟାଳୟରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଏହି ଆନ୍ଦୋଳନ ହୋଇଛି।
ଅଭିଭାବକମାନଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ମାତ୍ର ୩ ଜଣ ଶିକ୍ଷକ ରହିଛନ୍ତି। ଏହି ଅସ୍ୱାଭାବିକ ପରିସ୍ଥିତିରେ ଜଣେ ଶିକ୍ଷକଙ୍କ ବଦଳି ଆଦେଶ ଅଭିଭାବକମାନଙ୍କ ଅସନ୍ତୋଷକୁ ଆହୁରି ତୀବ୍ର କରିଛି।
ଶିକ୍ଷକ ଅଭାବ ଯୋଗୁଁ ଏକାଧିକ ଶ୍ରେଣୀର ପାଠପଢ଼ା ଏକାସାଙ୍ଗେ ଚାଲୁଥିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣମାନ ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଭାବକମାନେ କହିଛନ୍ତି। ଏହାର ପ୍ରତିବାଦରେ ସେମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ସହ ଫାଟକ ସମ୍ମୁଖରେ ବସି ଧାରଣା ଦେଇଥିଲେ।
ଆନ୍ଦୋଳନକାରୀମାନେ ଶିକ୍ଷକଙ୍କ ବଦଳି ତୁରନ୍ତ ବାତିଲ କରିବା ସହ ବିଦ୍ୟାଳୟରେ ଆବଶ୍ୟକ ଅନୁପାତରେ ଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ଏପରି ସ୍ଥିତିରେ ଗୋଷ୍ଠୀ ଶିକ୍ଷା ବିଭାଗ ଓ ଜିଲ୍ଲା ଶିକ୍ଷା ପ୍ରଶାସନ କେବେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶିକ୍ଷକ ଅଭାବ ଦୂର କରିବାରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଆନ୍ଦୋଳନ ଆହୁରି ତୀବ୍ର ହେବାର ଆଶଙ୍କା ପ୍ରକାଶ ପାଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)