ଆଦିବାସୀଙ୍କୁ ରୋଜଗାର ଦେଉଛି ବାଉଁଶ ସାମଗ୍ରୀ।

Apr 24, 2025 - 07:13
0 89
ଆଦିବାସୀଙ୍କୁ ରୋଜଗାର ଦେଉଛି ବାଉଁଶ ସାମଗ୍ରୀ।

ଝରିଗାଁ,୨୪l୪( ଷ୍ଟାର ନିୟୁଜ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ଭାବେ ପରିଚିତ।ଏଠାରେ ପ୍ରାୟ ୯୦ ପ୍ରତିଶତ ଆଦିବାସୀ ଲୋକ ବସବାସ କରନ୍ତି।ପ୍ରାୟ ଆଦିବାସୀ ପରିବାର ରୋଜଗାର ପାଇଁ ଜଙ୍ଗଲ ଜାତୀୟ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ବେଳେ କିଛି ଆଦିବାସୀ ପରିବାର ଲୋକଙ୍କ ଆବଶ୍ୟକତାକୁ ନେଇ ବିଭିନ୍ନ ପନ୍ଥା ଅବଲମ୍ବନ କରି ରୋଜଗାର କରୁଛନ୍ତି।ସେଥିମଧ୍ୟରୁ ବାଉଁଶ ସାମଗ୍ରୀ ନିର୍ମାଣ କରି ରୋଜଗାର କରିବା ଅନ୍ୟତମ।ଏଠାକାର ଆଦିବାସୀ ମାନେ ପ୍ରଥମେ ଗ୍ରାମରେ ଥିବା କିମ୍ବା ଆଖପାଖରେ ଥିବା ବାଉଁଶ ଗଛକୁ କ୍ରୟ କରି ଘରକୁ ନେଇ ଆସନ୍ତି।ପରେ ପରିବାର ଲୋକ ସମସ୍ତେ ମିଶି ବାଉଁଶ ଗଛକୁ ଛୋଟ ଛୋଟ ଆକାରରେ କାଟି ଦିଅନ୍ତି।ପରେ କୌଶଳ କ୍ରମେ ଛୋଟ ବଡ଼ କଟା । ବାଉଁଶରେ ବିଭିନ୍ନ ପ୍ରକାର ସାମଗ୍ରୀ ନିର୍ମାଣ କରିଥାନ୍ତି।ପରେ ନିକଟସ୍ଥ ବଜାରରେ ବିକ୍ରି କରି ରୋଜଗାର କରିଥାନ୍ତି।ବିଶେଷ କରି ବର୍ଷକର ଧାନ ସୁରକ୍ଷିତ ରଖିବା ପାଇଁ ବାଉଁଶରେ ତିଆରି ପାଲ,କୃଷି ଜାତୀୟ ଦ୍ରବ୍ୟ ସାଇତି ରଖିବା ପାଇଁ ଟପଲି,ଟୁକୁନା,କୁଲା ଭଳି ବାଉଁଶ ସାମଗ୍ରୀ ତିଆରି କରିଥାନ୍ତି।ସେହିପରି ମାଛ ଧରିବା ପାଇଁ ବିସର, ଦାନ୍ଦର,ଥାପା ଏବଂ ଘରେ ବ୍ୟବହାର ପାଇଁ ଝାଡୁ,ଛପା ଓ ଛେଟଣା ଭଳି ସାମଗ୍ରୀ ବଜାରରେ ବିକ୍ରି କରି ରୋଜଗାର କରୁଛନ୍ତି।କହାଯାଏ ଆଗକାଳରେ ମା ଗର୍ଭରୁ ଛୁଆ ଜନ୍ମ ହେବା ପରେ ନାଭି କାଟିବା ପାଇଁ ବୈଦ୍ୟମାନେ ଧାରୁଆ ବାଉଁଶ ବ୍ୟବହାର କରୁଥିଲେ।ବିଶ୍ବାସ ଥିଲା ଧାରୁଆ ବାଉଁଶରେ ନାଭି କାଟିଲେ ସଂକ୍ରମଣ ହେବ ନାହିଁ ବୋଲି।ସେହି ପରି ନୂତନ ଘରର କାନ୍ଥ ନିର୍ମାଣ ଠାରୁ ଆରମ୍ଭ କରି କବାଟ ଝରକା ବାଉଁଶରେ ନିର୍ମାଣ ହେଉଥିଲା।ସେହିପରି ବାଉଁଶରେ ପାଚେରୀ ନିର୍ମାଣ ହେଉଥିଲା।ବର୍ତ୍ତମାନ ଆଧୁନିକ ଯୁଗରେ ବାଉଁଶ ସାମଗ୍ରୀର ଚାହିଦା ଧୀରେ ଧୀରେ କମି ଯାଉଥିବା ବେଳେ ଅଳ୍ପ କିଛି ପରିବାର ଏହି କୌଳିକ ବୃତ୍ତିକୁ ଜୀବିତ ରଖିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User