କେସିଙ୍ଗା ସହରର ସୁବ୍ୟବସ୍ଥିତ ବିକାଶ କେବେ? ଡେଲି ମାର୍କେଟ୍ର ସମାଧାନ ଅଧୁରା, ରାସ୍ତା ଆଲୋକ ଓ ସୁରକ୍ଷା ନେଇ ବଢୁଛି ଅସନ୍ତୋଷ
କେସିଙ୍ଗା,୩୧/୮( ଷ୍ଟାରନିୟୁଜ ଓଡିଶା) କେସିଙ୍ଗା ସହରକୁ ସୁନ୍ଦର, ସୁବ୍ୟବସ୍ଥିତ ଓ ଯାତାୟାତ ଉପଯୋଗୀ କରିବା ପାଇଁ ଆଜି ପର୍ଯ୍ୟନ୍ତ ଏକ ସଠିକ୍ ଓ ପୂର୍ଣ୍ଣାଙ୍ଗ ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ସହରର ଦୈନନ୍ଦିନ ମୌଳିକ ସମସ୍ୟାଗୁଡ଼ିକ ବର୍ଷ ବର୍ଷ ଧରି ଅମିମାଂସିତ ରହିଛି।
ବିଶେଷକରି ପନିପରିବା ଭଳି ଆବଶ୍ୟକ ଓ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବିକ୍ରି କରି ପିଢ଼ି ପିଢ଼ି ଧରି ସହରବାସୀଙ୍କୁ ସେବା ଯୋଗାଇ ଆସୁଥିବା ଛୋଟ ବ୍ୟବସାୟୀମାନଙ୍କ ସମସ୍ୟାର ଏଯାଏଁ ସ୍ଥାୟୀ ସମାଧାନ ହୋଇପାରିନାହିଁ। ଟ୍ରାଫିକ ସମସ୍ୟା ଓ ରାସ୍ତା ପ୍ରଶସ୍ତିକରଣ ନାମରେ ଗରିବ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉଚ୍ଛେଦ କରିବା ସହଜ ହୋଇଥିବା ବେଳେ, ସେମାନଙ୍କ ପାଇଁ ବିକଳ୍ପ ଓ ସ୍ଥାୟୀ ବ୍ୟବସ୍ଥା କରିବାରେ ପ୍ରଶାସନିକ ପଦକ୍ଷେପ ନେଇ ପ୍ରଶ୍ନ ଉଠୁଛି।
ଡେଲି ମାର୍କେଟ୍ର କାୟା ପରିବର୍ତ୍ତନ କେବେ?
ଡେଲି ମାର୍କେଟ୍ର ସମ୍ପୂର୍ଣ୍ଣ କାୟା ପରିବର୍ତ୍ତନ କରାଯାଇ ପନିପରିବା ବ୍ୟବସାୟୀମାନଙ୍କୁ ମାର୍କେଟ୍ ପରିସର ମଧ୍ୟରେ ସୁବ୍ୟବସ୍ଥିତ ଭାବେ ଥଇଥାନ କରାଯିବ ବୋଲି ଆନ୍ଦୋଳନ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲା। ଏନେଇ ବ୍ୟବସାୟୀମାନଙ୍କ ଦସ୍ତଖତ ସହ ଲିଖିତ ପ୍ରତିଶ୍ରୁତି ଦିଆଯିବା ସହ ସରକାରୀ ଅନୁମୋଦନ ମିଳିଥିଲା ଏବଂ ଅର୍ଥ ମଧ୍ୟ ଆସିଥିବା ଜଣାପଡ଼ିଥିଲା। କାମ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି କାରଣରୁ ଏହା ଅଧାରେ ବନ୍ଦ ହୋଇଯାଇଛି।
ଏବେ ପ୍ରଶ୍ନ ଉଠୁଛି—ଅନୁମୋଦନ, ଅର୍ଥ ବରାଦ ଓ କାମ ଆରମ୍ଭ ପରେ ମଧ୍ୟ ଏହି ପ୍ରକଳ୍ପ କାହିଁକି ଅଧୁରା ରହିଛି? ଏହାର ଉତ୍ତର ସହ ଅଧୁରା କାମକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହେଉଛି।
ରାତିରେ ଅନ୍ଧାର, ସୁରକ୍ଷା ନେଇ ଚିନ୍ତା
ଅନ୍ୟପକ୍ଷରେ ଜଗନ୍ନାଥ ବୁକ୍ ଷ୍ଟୋରଠାରୁ ପୋଲିସ ଷ୍ଟେସନ୍ ପର୍ଯ୍ୟନ୍ତ ରାତି ସମୟରେ ରାସ୍ତା ଆଲୋକ ବ୍ୟବସ୍ଥା ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ହେଉଛି। ବହୁ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଓ ଏଲଇଡି ଲାଇଟ୍ ଅଚଳ କିମ୍ବା ଠିକ୍ ଭାବେ ଜଳୁନଥିବାରୁ ରାତିରେ ଯାତାୟାତ କରୁଥିବା ଲୋକେ ଅସୁବିଧାରେ ପଡ଼ୁଛନ୍ତି।
ଜଗନ୍ନାଥ ମନ୍ଦିର ଛକରେ କିଛିଦିନ ପୂର୍ବରୁ ରେଡ୍ ଲାଇଟ୍ ଲଗାଯାଇଥିଲେ ମଧ୍ୟ ବର୍ତ୍ତମାନ ତାହା ଅଚଳ ଅବସ୍ଥାରେ ରହିଥିବା ଅଭିଯୋଗ ରହିଛି। ଏଭଳି ପରିସ୍ଥିତିରେ ସହରର ଟ୍ରାଫିକ ନିୟନ୍ତ୍ରଣ ଓ ରାତ୍ରି ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ପ୍ରତ୍ୟେକ ଛକରେ CCTV ଦାବି
କେସିଙ୍ଗା ସହରର ବିଭିନ୍ନ ଅଞ୍ଚଳରେ ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ସହରର ପ୍ରମୁଖ ଛକ, ବଜାର ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ CCTV କ୍ୟାମେରା ସ୍ଥାପନ କରିବାକୁ ଦାବି ଜୋର ଧରିଛି।
ସହରର ବିକାଶ କେବଳ ରାସ୍ତା ପ୍ରଶସ୍ତିକରଣ କିମ୍ବା ଉଚ୍ଛେଦରେ ସୀମିତ ନ ରହି ବ୍ୟବସାୟୀଙ୍କ ଥଇଥାନ, ଡେଲି ମାର୍କେଟ୍ର ଆଧୁନିକୀକରଣ, ଷ୍ଟ୍ରିଟ୍ ଲାଇଟ୍, ଟ୍ରାଫିକ ନିୟନ୍ତ୍ରଣ ଓ CCTV ସୁରକ୍ଷା ବ୍ୟବସ୍ଥାକୁ ଏକାଠି କରି ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯାଉ ବୋଲି କେସିଙ୍ଗାବାସୀ ଦାବି କରିଛନ୍ତି।
ପ୍ରଶାସନ ଓ ସମ୍ପୃକ୍ତ ଜନପ୍ରତିନିଧିମାନେ ଏ ଦିଗରେ ଶୀଘ୍ର ଦୃଢ଼ ପଦକ୍ଷେପ ନେବେ କି ନାହିଁ, ତାହାକୁ ଏବେ କେସିଙ୍ଗାବାସୀ ଅପେକ୍ଷା କରିଛନ୍ତି।
କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)