ଗୋବରୀ, କୋଦଭଟ୍ଟା ମଣ୍ଡଳ ଭୀମା ଓ ସିର୍ଲିଖୁଟି ଭୀମା ପାଟ ବାଲିଯାତ୍ରା ସମାପିତ ।

May 16, 2025 - 20:37
0 72

ଝରିଗାଁ,୧୬l୫ (ଷ୍ଟାର ନିୟୁଜ ଓଡ଼ିଶା);ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଂଚାୟତ ଅନ୍ତର୍ଗତ ଗୋବରୀ କୋଦଭଟ୍ଟା ଠାରେ ଚାଲିଥିବା ତିନି ମାସିଆ ମଣ୍ଡଳ ଭୀମା ଓ ସିର୍ଲିଖୁଟି ଭୀମା ପାଟ ବାଲିଯାତ୍ରା ଚଳିତ ମାସର 13 ତାରିଖ ଦିନ ଶେଷ ହୋଇଛି |ଦୀର୍ଘ ଚାଳିଶ ବର୍ଷ ପରେ ପୁଣିଥରେ ଗ୍ରାମବାସୀ ଏକତ୍ରିତ ହୋଇ ଗ୍ରାମରେ ବାଲିଯାତ୍ରା କରିବା ପାଇଁ ମନସ୍ଥ କରିଥିଲେ |ଇନେଇ ଦୁଇଟି ଗ୍ରାମର ଗ୍ରାମବାସୀ ଏକ ବୈଠକ କରି ଚାନ୍ଦା ଧାର୍ଯ୍ୟ କରିଥିଲେ ଓ ଗୁରୁ ମାଇନି ଙ୍କୁ ନିମନ୍ତ୍ରଣ କରି ଫେବୃଆରୀ 17ତାରିଖରେ ଶୁଭଖୁଣ୍ଟ ସ୍ଥାପନ କରି ବାଲିଯାତ୍ରା ଆରମ୍ଭ କରିଥିଲେ |ଗୁରୁ ମାଇନି ବିଧିବଦ୍ଧ ଭାବେ ପୂଜାର୍ଚନା କରିବା ସହିତ କଳା ଧାରନି, ଚୋକ ଧାରନି,ରଇଲା, ବାର ଦାଈନି, ଦାଣ୍ଡ, ଧାରନି, ଭିମା,ଲାଡରୀ, କନ୍ଦନି ଭଳି ଶତାଧିକ ଦେବାଦେବୀଙ୍କୁ ଆବାହନ କରିଥିଲେ |କୁମାରୀ ଝିଅ, ପୁଅ, ବିବାହିତା ମହିଳା ଓ ପୁରୁଷ ମାନଙ୍କ ଦେହରେ ବିରାଜିତ ହୋଇ ଦେବାଦେବୀ ମାନେ ତିନି ମାସ ଧରି ନୃତ୍ୟ କରିଥିଲେ |ଦେବାଦେବୀ ମାନଙ୍କ ଏହି ମନୋହର ନୃତ୍ୟ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ବାଲି ମଣ୍ଡପରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଥିଲା |ଜନସାଧାରଣ ମାନଙ୍କ ମନରଞ୍ଜନ ପାଇଁ ବାଲି ଆରମ୍ଭ ଦିନ, ବାଲି ଉଠେଇଳା ଦିନ ଓ ବିହନ ବୁଣିଲା ଦିନ ଦେଶିଆ ନାଟକ ସବୁର ଆୟୋଜନ କରାଯାଇଥିଲା |ବାଲି ବୁଣିବାର ନଅ ଦିନ ପରେ ବାଲିଯାତ୍ରା ଶେଷ ହେବା ପରେ ତାର ପରଦିନ ଭିମା ସହିତ ରଇଲା ର ବିଭାଘର ସମ୍ପନ୍ନ ହୋଇଥିଲା |ବାଲିଯାତ୍ରାର ଶେଷ ଦିନ ବାଲିଯାତ୍ରା କମିଟି ପକ୍ଷରୁ ରାତ୍ରିରେ ଦୁଇଟା ଦେଶିଆ ନାଟକ ସାଙ୍ଗକୁ ମିନା ବଜାର ର ମଧ୍ୟ ଆୟୋଜନ କରାଯାଇଥିଲା |ବାଲିଯାତ୍ରା ପଡିଆରେ ଶତାଧିକ ଉଠା ଦୋକାନୀ ଦୋକାନ ସବୁ ବସେଇ ଭଲ ବ୍ୟବସାୟ କରିଥିବା ବେଳେ ସହସ୍ରାଧିକ ଜନସାଧାରଣ ଭିଡ଼ ଜମେଇଥିବା ଦେଖିବାକୁ ମିଳିଥିଲା ମାନସିଂ ପୂଜାରୀ, ଗଣେଶ, ଅର୍ଜୁନ, ଦେବୀ, ଦୟନୁ ମାଳି, ମହେନ୍ଦ୍ର ଭତରା, ଜଗା କଳାର, ନକୁଳ ପ୍ରମୁଖ ବାଲିଯାତ୍ରାରେ ମୁଖ୍ୟ ଭୂମିକା ତୁଲେଇଥିବା ବେଳେ ଦୁଇ ଗ୍ରାମର ଜନସାଧାରଣ ବାଲିଯାତ୍ରାକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User