ପ୍ରବଳ ବର୍ଷାରେ ଭୁଶୁଡ଼ିଲା ମାଟି ଘର; ଖୋଲା ଆକାଶ ତଳେ ସୁରେଶଙ୍କ ପରିବାର
ଥୁଆମୂଳ ରାମପୁର, ୧୧/୮ (ଷ୍ଟାରନ୍ୟୁଜ ଓଡ଼ିଶା): ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ଗରିବ ପରିବାରର ମାଟି ଘର। ଘର ହରାଇ ଏବେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି ସୁରେଶ ପାତ୍ରଙ୍କ ପରିବାର। ବର୍ଷା ଋତୁରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ ପରିବାରର ଚିନ୍ତା ବଢ଼ିଛି।
ଏଭଳି ଦୁର୍ଦ୍ଦଶାର ଚିତ୍ର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ଗ୍ରାମପଞ୍ଚାୟତର ପାନଭଟା ଗ୍ରାମରୁ ସାମ୍ନାକୁ ଆସିଛି। ଗତ ୯ ତାରିଖରେ ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସୁରେଶ ପାତ୍ରଙ୍କ ମାଟି ଘର ହଠାତ୍ ଭୁଶୁଡ଼ି ପଡ଼ିଥିଲା।
ଘର ଭୁଶୁଡ଼ିବା ସମୟରେ ସୁରେଶ, ତାଙ୍କ ସ୍ତ୍ରୀ ଓ ତିନି ଜଣ ଛୁଆ ଘର ଭିତରେ ଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟବଶତଃ ସମସ୍ତେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ ପରିବାରଟି ଏବେ ଅସହାୟ ହୋଇପଡ଼ିଛି।
ବର୍ଷା ଲାଗି ରହିଥିବାରୁ ପରିବାରକୁ ରାତି କାଟିବା ପାଇଁ ମଧ୍ୟ ନିରାପଦ ସ୍ଥାନ ମିଳୁନାହିଁ। ବିଶେଷକରି ତିନି ଜଣ ଛୋଟ ଛୁଆଙ୍କ ସୁରକ୍ଷାକୁ ନେଇ ପରିବାର ଚିନ୍ତିତ ରହିଛନ୍ତି। ଘର ଭାଙ୍ଗିଯିବାରୁ ଘରୋଇ ସାମଗ୍ରୀ ଓ ଦୈନନ୍ଦିନ ଜୀବନ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି।
ଏଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ପରିବାରକୁ ଆଶ୍ରୟ, ଖାଦ୍ୟ ଓ ଆବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଇଦେବାକୁ ଦାବି ହୋଇଛି। ଏଥିସହ ନିୟମାନୁଯାୟୀ ଘରଭଙ୍ଗା କ୍ଷତିପୂରଣ ପ୍ରଦାନ ଏବଂ ଏକ ସୁରକ୍ଷିତ ବାସଗୃହ ବ୍ୟବସ୍ଥା ପାଇଁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ବର୍ଷା ଋତୁ ଜାରି ଥିବାରୁ ଏହି ପରିବାର ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଅଧିକ ସମସ୍ୟା ଦେଖାଦେଇପାରେ। ତେଣୁ ମାନବିକତା ଦୃଷ୍ଟିରୁ ସୁରେଶଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)