ବିଶ୍ୱପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଆସନ୍ତାକାଲି ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ , ସିସିଟିଭି ଓ ଡ୍ରୋନ୍‌ରେ ରହିବ ନଜର

Oct 18, 2026 - 16:34
0 15
ବିଶ୍ୱପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଆସନ୍ତାକାଲି ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ , ସିସିଟିଭି ଓ ଡ୍ରୋନ୍‌ରେ ରହିବ ନଜର

ଭବାନୀପାଟଣା, ୧୮/୧୦ (ଷ୍ଟାରନ୍ୟୁଜ୍ ଓଡ଼ିଶା): କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ତଥା ଐତିହାସିକ ଛତରଯାତ୍ରାକୁ ନେଇ ସମଗ୍ର ଜିଲ୍ଲାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆସନ୍ତାକାଲି ମହାଷ୍ଟମୀ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏହି ପାରମ୍ପରିକ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ମା’ଙ୍କ ଆଗମନକୁ ସ୍ୱାଗତ କରିବା ପାଇଁ ଘଣ୍ଟ, ନିଶାନ, ତାସା ଓ କଳାହାଣ୍ଡିର ପାରମ୍ପରିକ ବୀରବାଦ୍ୟ ଘୁମୁରାର ଅଭ୍ୟାସ ଜୋରସୋରରେ ଚାଲିଛି। ବାଦ୍ୟର ଗମ୍ଭୀର ଧ୍ୱନିରେ ଭବାନୀପାଟଣା ସହର ଉତ୍ସବମୁଖର ହୋଇଉଠିଛି। ବର୍ଷକୁ ଥରେ ମା’ଙ୍କ ବିଜୟ ପ୍ରତୀକ ପବିତ୍ର ଛତରର ଦର୍ଶନ ମିଳୁଥିବାରୁ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ।
ଜେନାଖାଲରୁ ମନ୍ଦିର ଅଭିମୁଖେ ଯାତ୍ରା
ପରମ୍ପରା ଅନୁଯାୟୀ, ମହାଷ୍ଟମୀ ମଧ୍ୟରାତ୍ରିରେ ମା’ଙ୍କ ବିଜୟ ପ୍ରତୀକ ଛତରକୁ ଗର୍ଭଗୃହରୁ ବାହାର କରାଯାଇ ଛତ୍ରବାହକ, ମୁଣ୍ଡଛିନା ଜେନା ଓ ପାରମ୍ପରିକ ବାଦ୍ୟଦଳଙ୍କ ସହ ଭବାନୀପାଟଣାର ପଶ୍ଚିମ ଉପକଣ୍ଠ ଫାଶୀଡଙ୍ଗରସ୍ଥିତ ଜେନାଖାଲକୁ ନିଆଯାଇଥାଏ। ସେଠାରେ ଗୁପ୍ତପୂଜା ଓ ସନ୍ଧିପୂଜା ସମ୍ପନ୍ନ ହେବା ପରେ ଭୋରରୁ ଆରମ୍ଭ ହୁଏ ମା’ଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ଯାତ୍ରା।
ଏହି ସମୟରେ ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଅସଂଖ୍ୟ ଭକ୍ତଙ୍କ ସମାଗମ ହୋଇଥାଏ। ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଭବାନୀପାଟଣାରେ ପହଞ୍ଚିଥାନ୍ତି। ଶେଷରେ ଛତର ମନ୍ଦିରରେ ପହଞ୍ଚିବା ପରେ ପାରମ୍ପରିକ ବନ୍ଦାପନା କରାଯାଇ ଗର୍ଭଗୃହରେ ସ୍ଥାପନ କରାଯାଇଥାଏ।
ବଳିପ୍ରଥା ନିୟନ୍ତ୍ରଣ ଉପରେ ନଜର
ଛତରଯାତ୍ରା ସହ ଜଡ଼ିତ ବଳିପ୍ରଥାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଓ ବିବାଦ ଦେଖାଦେଇଥିଲେ ମଧ୍ୟ ମା’ଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଆସ୍ଥା ଅତୁଟ ରହିଛି। ମାନସିକ ପୂରଣ ପାଇଁ କେତେକ ଭକ୍ତ ପାରମ୍ପରିକ ବଳି ଦେଉଥିବା ବେଳେ ଅନ୍ୟମାନେ ପାରା ଉଡ଼ାଇ ମନୋକାମନା ଜଣାଇଥାନ୍ତି।
ତେବେ ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତାରେ ବଳିପ୍ରଥାକୁ ନିୟନ୍ତ୍ରଣ କରିବା ଓ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଛତରଯାତ୍ରାରେ ବିପୁଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବାରକୋଣ୍ଡାଙ୍କ ସୂଚନା ଅନୁଯାୟୀ, ଯାତ୍ରା ପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ଏଥିସହ ୯୫ ଜଣ ପୋଲିସ ଅଧିକାରୀ ନିୟୋଜିତ ହେବା ସହ ୨୫ଟି ସ୍ଥାନରେ ସିସିଟିଭି କ୍ୟାମେରା ଓ ଡ୍ରୋନ୍‌ ମାଧ୍ୟମରେ ଯାତ୍ରା ଉପରେ ନଜର ରଖାଯିବ।
ଧାର୍ମିକ ଆସ୍ଥା, ଐତିହ୍ୟ ଓ ପରମ୍ପରାର ପ୍ରତୀକ ମା’ ମାଣିକେଶ୍ୱରୀଙ୍କ ଏହି ଛତରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ସହ ଭକ୍ତମାନଙ୍କୁ ସୁରକ୍ଷିତ ଦର୍ଶନର ସୁଯୋଗ ଦେବା ଏବେ ପ୍ରଶାସନ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User