ଶ୍ରେଣୀଗୃହ ନାହିଁ, ବନ ବିଭାଗର ଭଙ୍ଗା ଘରେ ପାଠପଢ଼ା ଧରଣୀମାସ୍କା UPSରେ ୨୯ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ; ତଦନ୍ତ ଦାବି
ତୁମୁଡ଼ିବନ୍ଧ, ୨୨l ୮(ଷ୍ଟାରନିୟୁଜ୍ ଓଡ଼ିଶା):କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବିଲାମାଳ ପଞ୍ଚାୟତ ଅନ୍ତର୍ଗତ ଧରଣୀମାସ୍କା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି। ବିଦ୍ୟାଳୟର ନିଜସ୍ୱ ଶ୍ରେଣୀଗୃହ ନଥିବାରୁ ବନ ବିଭାଗର ଏକ ଦୁର୍ବଳ ଓ ଭଙ୍ଗା ଘରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଥିବା ଅଭିଯୋଗ ହୋଇଛି।
ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ମୋଟ ୨୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୩ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟ ପରିଚାଳନା କମିଟିର ପରାମର୍ଶକ୍ରମେ ବନ ବିଭାଗର ଉକ୍ତ ଘରେ ଶ୍ରେଣୀକାର୍ଯ୍ୟ ଚାଲୁଥିବା ଜଣାପଡ଼ିଛି।
ତେବେ ଘରଟିର ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବା ଅଭିଯୋଗ ହୋଇଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ପିଲାମାନଙ୍କ ସହ ଶିକ୍ଷକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରଟି ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ଥିବାରୁ ଏଠାରେ ପିଲାମାନଙ୍କୁ ପଢ଼ାଇବା ନିରାପଦ କି ନୁହେଁ, ତାହା ନେଇ ଅଭିଭାବକ ଓ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରଧାନଶିକ୍ଷକ ଆମ୍ବୁଜ ପାରାସେଠ୍, ଶିକ୍ଷକ ଚିନ୍ମୟ କୁମାର ସେଠୀ ଓ ଶିକ୍ଷୟିତ୍ରୀ ସୁନିତା ପାତ୍ର ନିୟମିତ ଭାବେ ବିଦ୍ୟାଳୟକୁ ଆସି ଶିକ୍ଷାଦାନ ଜାରି ରଖିଥିବାରୁ ଗ୍ରାମବାସୀ ସେମାନଙ୍କ ନିଷ୍ଠାକୁ ପ୍ରଶଂସା କରିଛନ୍ତି।
କନ୍ଧମାଳ-ରାୟଗଡ଼ା ସୀମାନ୍ତର ଏହି ଦୁର୍ଗମ ଅଞ୍ଚଳର ବିଦ୍ୟାଳୟରେ କେବଳ ଶ୍ରେଣୀଗୃହ ନୁହେଁ, କାର୍ଯ୍ୟାଳୟ, ରୋଷେଇ ଘର ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ମଧ୍ୟ ନଥିବା ଅଭିଯୋଗ ହୋଇଛି। ଫଳରେ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ଏହି ଅସ୍ଥାୟୀ ସ୍ଥାନରେ ଚାଲୁଥିବା କୁହାଯାଉଛି।
ଗ୍ରାମବାସୀଙ୍କ ଅନୁଯାୟୀ, ବିଦ୍ୟାଳୟ ପ୍ରାୟ ସକାଳ ୧୦ଟାରେ ଖୋଲି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲୁଛି। ବିଦ୍ୟାଳୟର ନିଜସ୍ୱ ଭିତ୍ତିଭୂମି ନଥିବା ସମ୍ପର୍କରେ ପୂର୍ବରୁ ଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି।
ଦୁର୍ଗମ ଅଞ୍ଚଳର ଏହି ଛାତ୍ରଛାତ୍ରୀମାନେ କେବେ ନିରାପଦ ଓ ଉପଯୁକ୍ତ ପରିବେଶରେ ଶିକ୍ଷା ପାଇବେ, ଏହା ଏବେ ବଡ଼ ପ୍ରଶ୍ନ ହୋଇଛି। ତୁରନ୍ତ ବିଦ୍ୟାଳୟର ନିଜସ୍ୱ ଶ୍ରେଣୀଗୃହ ନିର୍ମାଣ ସହ କାର୍ଯ୍ୟାଳୟ, ରୋଷେଇ ଘର, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବା ସହ ସମଗ୍ର ଘଟଣାର ତଦନ୍ତ କରିବାକୁ ଗ୍ରାମବାସୀ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।
ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
କନ୍ଧମାଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି
ରଙ୍ଗନାଥ ବଡ଼ସେଟ୍
ଷ୍ଟାର ନିୟୁଜ୍ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
1
Angry
0
Comments (0)