ଆମପାଣି ପ୍ୟାକ୍ସ ପକ୍ଷରୁ ନୂତନ ପାର୍ଲର ଓ କମ୍ପ୍ୟୁଟର କେନ୍ଦ୍ର ଉଦ୍ଘାଟିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମିଳିବ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା
କୋକସରା, ୨୦/୧୧ (ଷ୍ଟାରନିୟୁଜ ଓଡିଶା ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଲିମିଟେଡ୍ ପକ୍ଷରୁ ଶୁକ୍ରବାର ଏକ ନୂତନ ପାର୍ଲର ଓ କମ୍ପ୍ୟୁଟର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏହି ନୂତନ ସେବା କେନ୍ଦ୍ର ଆରମ୍ଭ ହେବା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବିଭିନ୍ନ ସୁବିଧା ମିଳିବା ସହ ସମବାୟ ସେବାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।
ଏହି ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ କେନ୍ଦ୍ରର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଡିଆରସିଏସ୍ ଅଶୋକ କୁମାର ପାଣି, ଏଆରସିଏସ୍ ସରୋଜ କୁମାର ପ୍ରଧାନ, କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜର ସୁଧାଂଶୁ ବେହେରା, ଆମପାଣି ପ୍ୟାକ୍ସ ସଭାପତି ଦିଲୀପନା ନାଏକ ଏବଂ ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ନୂତନ ସେବା କେନ୍ଦ୍ରର ଉପଯୋଗିତା ଓ ଅଞ୍ଚଳବାସୀଙ୍କ ପାଇଁ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା।
ଏହି ପାର୍ଲର ଓ ସେବା କେନ୍ଦ୍ର ଖୋଲିବା ଦ୍ୱାରା ସ୍ଥାନୀୟ ଲୋକେ ସୁଲଭ ମୂଲ୍ୟରେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ସହଜରେ ପାଇପାରିବେ। ଏହାଦ୍ୱାରା ଅଞ୍ଚଳର ଜନସାଧାରଣ ଉପକୃତ ହେବା ସହ ପ୍ୟାକ୍ସର ସେବା କାର୍ଯ୍ୟକ୍ରମ ଆହୁରି ଲୋକାଭିମୁଖୀ ହୋଇପାରିବ ବୋଲି ଉତ୍ସବରେ ମତପ୍ରକାଶ ପାଇଥିଲା।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)