ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଗେଟ୍ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ମୃତ୍ୟୁକୁ ନେଇ ରହସ୍ୟ ଘନୀଭୂତ, ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ଅଭିଯୋଗ; ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ତଦନ୍ତ ଦାବି
ଳାହାଣ୍ଡି, ୦୭/୧୧ (ଷ୍ଟାରନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅଞ୍ଚଳରେ ଏକ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ଜଳତାମୁଣ୍ଡା ନିକଟସ୍ଥ ୩୨ ନମ୍ବର ଗେଟ୍ରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଆତ୍ମହତ୍ୟା ନା ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି, ତାହାକୁ ନେଇ ଏବେ ସନ୍ଦେହ ଘନୀଭୂତ ହୋଇଛି। ଅନ୍ୟପକ୍ଷରେ ଯୁବକଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଛି।
ମୃତ ଯୁବକ ଜଣକ ହେଲେ ମତୁଆଲଗୁଡ଼ା ଗ୍ରାମର ଯୁଗସନ କରୁଆଁଙ୍କ ପୁଅ ଭାରତ କରୁଆଁ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରୁ ଭାରତ ଘରୁ ବାହାରି ଯାଇଥିଲେ। ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାରୁ ପରିବାର ଲୋକେ ପ୍ରଥମେ ତାଙ୍କ ଅନୁପସ୍ଥିତିକୁ ଗୁରୁତ୍ୱ ଦେଇନଥିଲେ। ମାତ୍ର ଆଜି ସକାଳେ ମୋଟେର ଫାଣ୍ଡି ଅଧୀନ ଇନ୍ଦ୍ରାବତୀ ବାମ କେନାଲ ଡିଭିଜନର ୩୨ ନମ୍ବର ଗେଟ୍ରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖାଯିବା ପରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।
ଖବର ପାଇ ମୋଟେର ଫାଣ୍ଡି ପୁଲିସ ଓ କୋକସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା ସ୍ୱାଭାବିକ ମୃତ୍ୟୁ ନୁହେଁ, ବରଂ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ସଦସ୍ୟ ଦାବି କରିଛନ୍ତି। କେହି ଦୁର୍ବୃତ୍ତ ଭାରତଙ୍କୁ ହତ୍ୟା କରିବା ପରେ ମୃତଦେହକୁ କେନାଲ ଗେଟ୍ରେ ରଶିରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ସେମାନେ ଅଭିଯୋଗ କରିଛନ୍ତି।
ଘଟଣାର ପ୍ରକୃତ ସତ୍ୟ ଉନ୍ମୋଚନ ପାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଇ ନିରପେକ୍ଷ ଏବଂ ଗଭୀର ତଦନ୍ତ କରାଯାଉ ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି। ପୁଲିସ ତଦନ୍ତ ପରେ ହିଁ ଯୁବକଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ। ଏହି ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ମତୁଆଲଗୁଡ଼ା ସମେତ ଆଖପାଖ ଅଞ୍ଚଳରେ ଶୋକ ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଛି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)