ଥୁଆପଦରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୬୩୦ଟି ବିଦ୍ୟାଳୟର ଶିଳାନ୍ୟାସ, କଳାହାଣ୍ଡିର ୧୬ଟି ପଞ୍ଚାୟତ ସାମିଲ
ଭବାନୀପାଟଣା, ୦୬/୧୧ (ଷ୍ଟାର ନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଯୋଡ଼ିହେଲା ଆଉ ଏକ ନୂଆ ଅଧ୍ୟାୟ। ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ଥୁଆପଦରଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆୟୋଜିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ଆଭାସୀ ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଉପଲକ୍ଷେ ଥୁଆପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆଦର୍ଶ ବିଦ୍ୟାଳୟ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ।
ରାଜ୍ୟ ସରକାରଙ୍କ ଏହି ଯୋଜନା ଅଧୀନରେ ପିଲାମାନଙ୍କୁ ଗୁଣାତ୍ମକ, ମୂଲ୍ୟବୋଧଭିତ୍ତିକ ଓ ଆଧୁନିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ସବୁଜ ଓ ସ୍ୱଚ୍ଛ ପରିବେଶ, ସ୍ମାର୍ଟ କ୍ଲାସରୁମ୍, କ୍ରୀଡ଼ା ସୁବିଧା, ଡିଜିଟାଲ ଲାଇବ୍ରେରୀ ସହ ବାଳକ ଓ ବାଳିକାଙ୍କ ପାଇଁ ପୃଥକ ଶୌଚାଳୟ ଭଳି ଆଧୁନିକ ବ୍ୟବସ୍ଥା ରହିବ।
ସୂଚନା ଅନୁଯାୟୀ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଧର୍ମଗଡ଼, ଜୟପାଟଣା, ଜୁନାଗଡ଼, ଲାଞ୍ଜିଗଡ଼, ଏମ୍. ରାମପୁର ଓ ଥୁଆମୂଳ ରାମପୁର ବ୍ଲକ୍ର ୧୬ଟି ଗ୍ରାମପଞ୍ଚାୟତ ସାମିଲ ହୋଇଛି।
କାର୍ଯ୍ୟକ୍ରମରେ ସଦର ବିଧାୟକଙ୍କ ପ୍ରତିନିଧି ଧନୁର୍ଦ୍ଧର ଗହୀର, ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାୟକ, ସ୍ଥାନୀୟ ସରପଞ୍ଚ ଦିଗମ୍ବର ଲୋହା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ପୂର୍ବତନ ଶିକ୍ଷାବିତ୍ ଜଗଦୀଶ ଚନ୍ଦ୍ର ମୁଣ୍ଡ, ପଞ୍ଚାୟତ ସମିତି ସଭ୍ୟା ଗୀତାଞ୍ଜଳି ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ବିଡିଓ ଚନ୍ଦନ କୁମାର ଭୋଇ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର ପ୍ରମୁଖ ମଞ୍ଚାସୀନ ଥିଲେ।
ପ୍ରାରମ୍ଭରେ ବିଇଓ ଆଚାରୀ ଶବର ସ୍ୱାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପ୍ରଧାନ ସଭା ପରିଚାଳନା କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।
ଛାତ୍ରୀ ବିନୋଦିନୀ ଭୋଇ, ସ୍ଥାନୀୟ ଯୁବ ସମାଜସେବୀ ଅରବିନ୍ଦ ନାଏକ, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଏସ୍ଏମ୍ସି ସଭାପତି କୁଞ୍ଜ ବିହାରୀ ସାହୁ, ପୂର୍ବତନ ପ୍ରଧାନଶିକ୍ଷକ ଏମ୍. ନାଗେଶ୍ୱର ରାଓ ଦୋରା ଏବଂ ଆଲୁମିନି ସଦସ୍ୟ ତଥା ଶିକ୍ଷକ କ୍ଷୀରସିନ୍ଧୁ ନାଏକଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହସମାପ୍ତ ହୋଇଥିଲା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)