କାରଖାନା ନାହିଁ ତ ଖଣି ନାହିଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ୮ ସଂଗଠନ
ଥୁଆମୁଳରାମପୁର, ୭/୧୦ (ଷ୍ଟାରନିୟୁଜ ଓଡିଶା): କଳାହାଣ୍ଡିର ଥୁଆମୁଳ ରାମପୁର ସମେତ ପଡ଼ୋଶୀ ରାୟଗଡ଼ା ଜିଲ୍ଲାର କାଶିପୁର ଓ କଲ୍ୟାଣସିଂହପୁର ଅଞ୍ଚଳରେ ବକ୍ସାଇଟ ଖଣି ଖନନକୁ ନେଇ ତୀବ୍ର ବିରୋଧ ଦେଖାଦେଇଛି। ଖଣି ଖନନ ପୂର୍ବରୁ ଅଞ୍ଚଳରେ କାରଖାନା ସ୍ଥାପନ ସହ ସ୍ଥାନୀୟ ଲୋକଙ୍କ ବିକାଶ ଓ ନିଯୁକ୍ତି ସୁନିଶ୍ଚିତ କରିବା ଦାବିରେ ୮ଟି ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଆଦିବାସୀ ସଂଘ, ଆଦିସ୍କନ୍ଧ ସମାଜ, ଦଳିତ ସମାଜ, ନବନିର୍ମାଣ କୃଷକ ସଂଗଠନ, ମା’ ମାଟି ସୁରକ୍ଷା କମିଟି, ଆଞ୍ଚଳିକ ଗଣସଂଘର୍ଷ ସମିତି, ବହୁଜନ ସମାଜ ପାର୍ଟି ଓ ଥୁଆମୁଳ ରାମପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏହି ଦାବି ଉଠାଯାଇଛି।
ଖଣି ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା, ସ୍ଥାନୀୟ ନିଯୁକ୍ତି ଓ ଅଞ୍ଚଳର ସାମଗ୍ରିକ ବିକାଶ ନହେଲେ ଖଣି ଖନନକୁ ସମର୍ଥନ କରାଯିବ ନାହିଁ ବୋଲି ସଂଗଠନଗୁଡ଼ିକ ସ୍ପଷ୍ଟ କରିଛନ୍ତି।
ଗଣଧାରଣା ପାଇଁ ଅନୁମତି ନମିଳିବା ପରେ ବୁଧବାର ଶତାଧିକ କର୍ମକର୍ତ୍ତା ଏକତ୍ରିତ ହୋଇ ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଥିଲେ। ସେ ସମୟରେ ଥୁଆମୁଳ ରାମପୁର ଥାନା ଅଧିକାରୀ ପ୍ରଶାନ୍ତ କୋହ୍ଲାରସ, କର୍ଲାପାଟ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀକାନ୍ତ କୋଲକାଙ୍କ ସମେତ ସୁରକ୍ଷା ବଳ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ମାଣିକ୍ୟ ଚନ୍ଦ୍ର ନାଏକ, ସନାତନ ମାଝୀ, ସମୋନାଥ ନାଏକ, ରାମଚନ୍ଦ୍ର ମାଝୀ, ହିତେଶ କୁମାର ନାଏକ, ଫୋଟ ସିଂହ ଭୋଇ, ଦାଶରଥି ନାଏକ ଓ ପ୍ରଫୁଲ୍ଲ ମୁଣ୍ଡଛିନାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
“ଜଳ, ଜମି ଓ ଜଙ୍ଗଲ ଆମର ଅଧିକାର। ଜୀବନ ଯାଇପାରେ, କିନ୍ତୁ ମାଳି ଛାଡ଼ିବୁ ନାହିଁ” ବୋଲି ପ୍ରଭାବିତ ଅଞ୍ଚଳବାସୀ ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ କରିଛନ୍ତି। କୁଟ୍ରୁମାଳି, ଖଣ୍ଡୁଆଳମାଳି ଓ ସିଜିମାଳିକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବାର ସଙ୍କେତ ମିଳିଛି।

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)