କେସିଙ୍ଗାରେ ପୁଣି ବଡ଼ ଚୋରି: ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଓ ଲାପଟପ୍‌ ଲୁଟ୍ ଲଗାତାର ଚୋରି ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ

Aug 10, 2026 - 13:03
0 72
କେସିଙ୍ଗାରେ ପୁଣି ବଡ଼ ଚୋରି: ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଓ ଲାପଟପ୍‌ ଲୁଟ୍ ଲଗାତାର ଚୋରି ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ

କେସିଙ୍ଗା, ୧୦/୮ (ଷ୍ଟାରନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ପୁଣି ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। କଲେଜ ରୋଡ୍‌ସ୍ଥିତ ଏକ ଭଡ଼ା ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ଟଙ୍କା, ସୁନା-ରୁପା ଅଳଙ୍କାର ସମେତ ଲାପଟପ୍‌ ଚୋରି କରି ଫେରାର ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କଲେଜ ରୋଡ୍‌ରେ ଭଡ଼ା ଘରେ ରହୁଥିବା ବ୍ୟବସାୟୀ ଯୁଗଳ ଅଗ୍ରୱାଲ ଗତ ୫ରୁ ୬ ଦିନ ହେଲା ବାବାଧାମ ଯାଇଥିଲେ। ଗତକାଲି ରାତି ପ୍ରାୟ ୧ଟା ସମୟରେ ସେ ଘରକୁ ଫେରିବା ପରେ ମୁଖ୍ୟ କବାଟର ତାଲା ଭଙ୍ଗା ଥିବା ଦେଖିଥିଲେ। ଘର ଭିତରକୁ ଯାଇ ଯାଞ୍ଚ କରିବା ପରେ ଚୋରି ହୋଇଥିବା ଜଣାପଡ଼ିଥିଲା।
ଅଭିଯୋଗ ଅନୁସାରେ, ଘରୁ ପ୍ରାୟ ୪ ଲକ୍ଷ ୫୦ ହଜାର ଟଙ୍କା ନଗଦ, ୧୫ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା ଏବଂ ଗୋଟିଏ ଲାପଟପ୍‌ ଚୋରି ହୋଇଛି। ଘଟଣା ସମ୍ପର୍କରେ ଯୁଗଳ ଅଗ୍ରୱାଲ କେସିଙ୍ଗା ପୁଲିସକୁ ସୂଚନା ଦେଇଥିଲେ।
ଖବର ପାଇ କେସିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଓ ଆଖପାଖ ଅଞ୍ଚଳ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ମଧ୍ୟରେ କେସିଙ୍ଗା ସହରରେ ଏକାଧିକ ଚୋରି ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଲଗାତାର ଚୋରି ଘଟଣାକୁ ରୋକିବା ସହ ଚୋରଙ୍କୁ ଧରିବା ଏବେ କେସିଙ୍ଗା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User