ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ସହ କ୍ଷେତ୍ର ପରିଦର୍ଶନ
କେସିଙ୍ଗା,ଭବାନୀପାଟଣା, ତା.୫l ୧୦(ଷ୍ଟାରନିୟୁଜ ଓଡ଼ିଶା): ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ମୃତ୍ତିକା ଓ ଜଳ ସଂରକ୍ଷଣ ସମେତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ପହଞ୍ଚିବା ପରେ ସେ ଜିଲ୍ଲା ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।
ସମୀକ୍ଷା ପରେ ଶ୍ରୀ ପଣ୍ଡା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଜଳଧାରା ଯୋଜନାରେ ନିର୍ମିତ କ୍ଷେତ ପୋଖରୀଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ପୋଖରୀଗୁଡ଼ିକର ଉପଯୋଗିତା ଓ ଚାଷୀମାନଙ୍କୁ ମିଳୁଥିବା ଲାଭ ସମ୍ପର୍କରେ ସେ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ

ପୋଖରୀ ହୁଡ଼ାରେ ପଇଡ଼ ଚାରା ରୋପଣ କରାଯାଇଥିଲା।
ସ୍ଥାନୀୟ ଚାଷୀ ଅନନ୍ତ ବେହେରା ଓ ଲଳିତ ବେହେରାଙ୍କୁ ବିଭାଗୀୟ ଅଧିକାରୀମାନେ ସମନ୍ୱିତ କୃଷି ପଦ୍ଧତି ସମ୍ପର୍କରେ ବୁଝାଇଥିଲେ। କୃଷି ସହ ଜଳ ଓ ମୃତ୍ତିକା ସଂରକ୍ଷଣକୁ ସମନ୍ୱୟ କରି ଚାଷୀଙ୍କ ଆୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଗସ୍ତର ଦ୍ୱିତୀୟ ଦିନରେ ନିର୍ଦ୍ଦେଶକ ଥୁଆମୂଳ ରାମପୁର ବ୍ଲକର କାଣୀଗୁଣା ଓ ଡୁଡୁକାଗୁଡ଼ା ଗାଁ ପରିଦର୍ଶନ କରିଥିଲେ। ସେଠାରେ କାର୍ଯ୍ୟକାରୀ ହୋଇଥିବା କଫି ବଗିଚାଗୁଡ଼ିକ ବୁଲି ଦେଖିବା ସହ କଫି ଚାଷର ଅଗ୍ରଗତି, ଉତ୍ପାଦନ ଓ ଚାଷୀମାନଙ୍କ ଆର୍ଥିକ ଲାଭ ସମ୍ପର୍କରେ ସେ ଅଧିକାରୀ ଓ ଚାଷୀଙ୍କଠାରୁ ସୂଚନା ନେଇଥିଲେ।
ପରେ ସେ ଜୟପାଟଣା ବ୍ଲକରେ ପହଞ୍ଚି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ପ୍ରକଳ୍ପଗୁଡ଼ିକର ବର୍ତ୍ତମାନ ସ୍ଥିତି, ଚାଷୀମାନଙ୍କୁ ମିଳୁଥିବା ସୁବିଧା ଓ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ସେ ଅଧିକାରୀମାନଙ୍କଠାରୁ ତଥ୍ୟ ନେଇଥିଲେ।
ଗସ୍ତ ସମୟରେ ମୃତ୍ତିକା ଓ ଜଳ ସଂରକ୍ଷଣ ସହ ଆଧୁନିକ ଓ ସମନ୍ୱିତ କୃଷି ପଦ୍ଧତିକୁ ଅଧିକ ପ୍ରୋତ୍ସାହନ ଦେଇ ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳସେଚନ ସୁବିଧାକୁ ସୁଦୃଢ଼ କରିବା ଉପରେ ନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)