ଶିକ୍ଷକ ଅଭାବରେ ପାଠପଢ଼ା ବ୍ୟାହତ ଅଭିଯୋଗ; ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ

Aug 11, 2026 - 18:30
0 29
ଶିକ୍ଷକ ଅଭାବରେ ପାଠପଢ଼ା ବ୍ୟାହତ ଅଭିଯୋଗ; ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ

କେସିଙ୍ଗା: ୧୧l ୮(ଷ୍ଟାରନିୟୁଜ  ଓଡିଶା ) ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗକୁ ନେଇ ତୀବ୍ର ହୋଇଛି ଅସନ୍ତୋଷ। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଏବଂ ଶିକ୍ଷୟିତ୍ରୀଙ୍କ ଅଦଳବଦଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣା ଦେଇଛନ୍ତି। ଘଟଣାଟି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମପଞ୍ଚାୟତ ଅଧୀନ ଡେଣ୍ଡୋଗୁଡା ସରକାରୀ ବିଦ୍ୟାଳୟର।
ସୂଚନା ଅନୁଯାୟୀ, ଡେଣ୍ଡୋଗୁଡା ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି। ବିଦ୍ୟାଳୟରେ ପ୍ରାୟ ୧୬୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ, ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଶିକ୍ଷକଙ୍କ ଅଭାବ ରହିଥିବା ନେଇ ଅଭିଭାବକମାନେ ଦୀର୍ଘଦିନ ଧରି ଅଭିଯୋଗ କରିଆସୁଛନ୍ତି।
ଅଭିଭାବକଙ୍କ ଅଭିଯୋଗ ଅନୁସାରେ, କିଛିଦିନ ପୂର୍ବରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ବିଦ୍ୟାଳୟର ଶିକ୍ଷକ ଅଭାବ ସମ୍ପର୍କରେ ଅବଗତ କରାଯାଇଥିଲା। ଖୁବଶୀଘ୍ର ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ପରେ ଜଣେ ଶିକ୍ଷୟିତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟକୁ ଅଦଳବଦଳ କରାଯିବ ବୋଲି ଆଶ୍ୱାସନ ମିଳିଥିବା ସେମାନେ କହିଛନ୍ତି।
ତେବେ ଆଶ୍ୱାସନ ଅନୁଯାୟୀ ଏପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହୋଇନଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଜି ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇଛନ୍ତି। ପରେ ସେମାନେ ଗେଟ୍‌ ସମ୍ମୁଖରେ ବସି ଦାବି ପୂରଣ ପାଇଁ ଧାରଣା ଦେଇଥିଲେ।
ଅଭିଭାବକମାନଙ୍କ ଦାବି, ବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରାଯାଉ। ଶିକ୍ଷକ ଅଭାବ ଦୂର ନହେଲେ ପିଲାଙ୍କ ପାଠପଢ଼ା ଓ ଶିକ୍ଷାର ଗୁଣାତ୍ମକ ମାନ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ କହିଛନ୍ତି। ଘଟଣାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User