ଶିକ୍ଷାର ଅଧିକାର ଦିଅ, ଶିକ୍ଷା ବଞ୍ଚାଅ” ନାରାରେ କମ୍ପିଲା ବିଦ୍ୟାଳୟ ପରିସର ୨୪୫ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୩ ଶିକ୍ଷକ; ସ୍କୁଲରେ ତାଲା ପକାଇ ଅଭିଭାବକଙ୍କ ଅନିର୍ଦ୍ଦିଷ୍ଟକାଳୀନ ଧାରଣା

Nov 10, 2026 - 20:43
0 11
ଶିକ୍ଷାର ଅଧିକାର ଦିଅ, ଶିକ୍ଷା ବଞ୍ଚାଅ” ନାରାରେ କମ୍ପିଲା ବିଦ୍ୟାଳୟ ପରିସର ୨୪୫ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୩ ଶିକ୍ଷକ; ସ୍କୁଲରେ ତାଲା ପକାଇ ଅଭିଭାବକଙ୍କ ଅନିର୍ଦ୍ଦିଷ୍ଟକାଳୀନ ଧାରଣା

କଳାହାଣ୍ଡି, ୧୦/୧୧ (ଷ୍ଟାରନ୍ୟୁଜ ଓଡ଼ିଶା): ଶିକ୍ଷାର ଅଧିକାର ସମସ୍ତଙ୍କ ପାଇଁ ସମାନ, ହେଲେ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି! ଏଭଳି ଏକ ଗୁରୁତର ଶିକ୍ଷାଗତ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷରେ ଫୁଟି ଉଠିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। “ଶିକ୍ଷାର ଅଧିକାର ଦିଅ, ଶିକ୍ଷା ବଞ୍ଚାଅ” ଏବଂ “ଶିକ୍ଷକ ନିଯୁକ୍ତି କର, ଆମ ଭବିଷ୍ୟତ ସୁରକ୍ଷିତ କର” ଭଳି ନାରାରେ ଆଜି କମ୍ପି ଉଠିଛି ହୀରାପୁର ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସର।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁରସ୍ଥିତ ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଅଭିଭାବକଙ୍କ କହିବା ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ମୋଟ ୨୪୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ପାଠପଢ଼ା ଦାୟିତ୍ୱ ମାତ୍ର ୩ ଜଣ ଶିକ୍ଷକଙ୍କ ଉପରେ ନ୍ୟସ୍ତ ରହିଛି। ଏତେ ସଂଖ୍ୟକ ପିଲାଙ୍କ ପାଇଁ ଆବଶ୍ୟକ ଶିକ୍ଷକ ନଥିବାରୁ ନିୟମିତ ଶିକ୍ଷାଦାନ, ଶ୍ରେଣୀ ପରିଚାଳନା ଓ ପିଲାଙ୍କ ଶୈକ୍ଷିକ ଉନ୍ନତିରେ ବାଧା ସୃଷ୍ଟି ହେଉଛି।
ଏହି ସମସ୍ୟାର ସମାଧାନ ପାଇଁ ଅଭିଭାବକମାନେ ପୂର୍ବରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଦାବି ପୂରଣ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶେଷରେ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଆଜି ମଙ୍ଗଳବାର ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଲା ପକାଇ ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଚାଲିବ ବୋଲି ସେମାନେ ଦୃଢ଼ ଚେତାବନୀ ଦେଇଛନ୍ତି।
ସରକାର ଗୁଣାତ୍ମକ ଶିକ୍ଷା ଓ ଆଦର୍ଶ ବିଦ୍ୟାଳୟର ସ୍ୱପ୍ନ ଦେଖାଉଥିବା ବେଳେ ଏକ ପିଏମ୍‌ଶ୍ରୀ ବିଦ୍ୟାଳୟରେ ଏଭଳି ଶିକ୍ଷକ ସଙ୍କଟ ଶିକ୍ଷା ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ପଦାରେ ପକାଇଛି। ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ସମସ୍ୟାକୁ ଜିଲ୍ଲା ଶିକ୍ଷା ବିଭାଗ କେତେ ଗୁରୁତ୍ୱ ଦେଉଛି, ତାହା ଏବେ ବଡ଼ ପ୍ରଶ୍ନ। ତୁରନ୍ତ ଶିକ୍ଷକ ନିଯୁକ୍ତି କରି ବିଦ୍ୟାଳୟରେ ସ୍ୱାଭାବିକ ପାଠପଢ଼ା ଫେରାଇ ଆଣିବାକୁ ଅଭିଭାବକ ମହଲରେ ଦାବି ଜୋର ଧରିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User