ଅମୃତ ଭାରତ ଯୋଜନାରେ ନବକଳେବର ପାଇଲା କେସିଙ୍ଗା ରେଳ ଷ୍ଟେସନ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଉଦଘାଟନ; ୨୨ କୋଟି ଟଙ୍କାରେ ଆଧୁନିକୀକରଣ, ବଢ଼ିଲା ଯାତ୍ରୀ ସୁବିଧା

Jul 17, 2026 - 23:40
0 19
ଅମୃତ ଭାରତ ଯୋଜନାରେ ନବକଳେବର ପାଇଲା କେସିଙ୍ଗା ରେଳ ଷ୍ଟେସନ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଉଦଘାଟନ; ୨୨ କୋଟି ଟଙ୍କାରେ ଆଧୁନିକୀକରଣ, ବଢ଼ିଲା ଯାତ୍ରୀ ସୁବିଧା

କେସିଙ୍ଗା, ୧୭/୦୭ (ଷ୍ଟାର ନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର ପ୍ରଥମ ଏବଂ ସର୍ବପୁରାତନ କେସିଙ୍ଗା ରେଳ ଷ୍ଟେସନ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ସମ୍ପୂର୍ଣ୍ଣ ଆଧୁନିକ ରୂପ ଧାରଣ କରିଛି। ୧୯୩୧ ମସିହାରେ ସ୍ଥାପିତ ଏହି ଐତିହାସିକ ଷ୍ଟେସନ ପ୍ରାୟ ୯୫ ବର୍ଷ ପରେ ନୂତନ ଭିତ୍ତିଭୂମି ଓ ଅତ୍ୟାଧୁନିକ ଯାତ୍ରୀ ସୁବିଧା ସହ ନୂଆ ପରିଚୟ ପାଇଛି। ରେଳ ବିଭାଗ ପ୍ରାୟ ୨୨ କୋଟି ଟଙ୍କା ବ୍ୟୟ କରି ଷ୍ଟେସନର ସାମଗ୍ରିକ ବିକାଶ କରିଛି।
ପ୍ରଥମ ପର୍ଯ୍ୟାୟରେ ଦେଶର ୭୫ଟି ରେଳ ଷ୍ଟେସନକୁ ଅମୃତ ଭାରତ ଯୋଜନାରେ ସାମିଲ କରାଯାଇଥିଲା। ସେଥିରେ କେସିଙ୍ଗା ଷ୍ଟେସନ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ବଲାଙ୍ଗୀର, ତାଳଚେର, ବରପାଲି, ବାରିପଦା, ପାରଳାଖେମୁଣ୍ଡି, ବିମଳଗଡ଼ ଓ କେସିଙ୍ଗା ସମେତ ୭ଟି ଷ୍ଟେସନର ବିକାଶ ପାଇଁ ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇଛି।
ନବୀକରଣ ପରେ କେସିଙ୍ଗା ରେଳ ଷ୍ଟେସନରେ ନୂତନ ପ୍ଲାଟଫର୍ମ ସେଡ୍, ଆଧୁନିକ ଷ୍ଟେସନ ଭବନ, ପ୍ରଶସ୍ତ ପ୍ରବେଶ ପଥ, ଲିଫ୍ଟ ସୁବିଧା, ୧୨ ମିଟର ଓସାର ବିଶିଷ୍ଟ ଫୁଟ୍ ଓଭର ବ୍ରିଜ୍, ଅତ୍ୟାଧୁନିକ ଯାତ୍ରୀ ଅପେକ୍ଷା ଗୃହ, ଡିଜିଟାଲ ସୂଚନା ଫଳକ, ଆଧୁନିକ ଶୌଚାଳୟ ଓ ଆକର୍ଷଣୀୟ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଯାତ୍ରୀମାନଙ୍କୁ ଅଧିକ ସୁବିଧା ମିଳିବା ସହ ଷ୍ଟେସନର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଛି।
ପଞ୍ଜାବର ଜଳନ୍ଧର କେଣ୍ଟ ରେଳ ଷ୍ଟେସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଦେଶର ୭୫ଟି ଅମୃତ ଭାରତ ରେଳ ଷ୍ଟେସନର ଉଦଘାଟନ କରି ଦେଶବାସୀଙ୍କୁ ସମର୍ପଣ କରିଥିଲେ।
ଏହି ଅବସରରେ କେସିଙ୍ଗା ରେଳ ଷ୍ଟେସନ ପରିସରରେ ଆୟୋଜିତ ଉଦଘାଟନୀ ସମାରୋହରେ ଧର୍ମଗଡ଼ ବିଧାୟକ ସୁଧୀର କୁମାର ପଟ୍ଟଯୋଶୀ, ପଦ୍ମଭୂଷଣ ପଟାୟତ ସାହୁ, କଳାହାଣ୍ଡି ଜିଲ୍ଲାପାଳ ସଚିନ ପ୍ରକାଶ ପାୱାର, ରେଳ ବିଭାଗର ଏଡିଆରଏମ୍, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡିଓ ଜନ୍ମେଜୟ ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଏବଂ ବିଜେପିର ରାଜ୍ୟ, ଜିଲ୍ଲା ଓ ସ୍ଥାନୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
— କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ, ଷ୍ଟାର ନ୍ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User