ଆମ ହସ୍ପିଟାଲ ନିର୍ମାଣରେ ନିମ୍ନମାନ ଅଭିଯୋଗ: ବିଧାୟକଙ୍କ ଅଚମ୍ବିତ ପରିଦର୍ଶନ, ଅଧିକାରୀ ଓ ଠିକାସଂସ୍ଥାକୁ କଡ଼ା ତାଗିଦ

Jul 18, 2026 - 22:07
0 9
ଆମ ହସ୍ପିଟାଲ ନିର୍ମାଣରେ ନିମ୍ନମାନ ଅଭିଯୋଗ: ବିଧାୟକଙ୍କ ଅଚମ୍ବିତ ପରିଦର୍ଶନ, ଅଧିକାରୀ ଓ ଠିକାସଂସ୍ଥାକୁ କଡ଼ା ତାଗିଦ

କୋକସରା, ୧୮/୦୭ (ଷ୍ଟାର ନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ ‘ଆମ ହସ୍ପିଟାଲ’ ଯୋଜନାରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ନିମ୍ନମାନର ଅଭିଯୋଗ ପରେ ଶନିବାର ସ୍ଥାନୀୟ ବିଧାୟକ ନିର୍ମାଣ ସ୍ଥଳ ପରିଦର୍ଶନ କରି ବାସ୍ତବ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ଅଧିକାରୀ ଓ ଠିକାସଂସ୍ଥାକୁ ଗୁଣାତ୍ମକ କାର୍ଯ୍ୟ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସ୍ଥାନୀୟ ସଚେତନ ନାଗରିକମାନଙ୍କ ଅଭିଯୋଗ ଅନୁସାରେ, ପିଲର ପାଇଁ ଖୋଳାଯାଇଥିବା ଗାତରେ ନିର୍ଦ୍ଦିଷ୍ଟ ମାନର ବାଲି କିମ୍ବା କ୍ରସର ଗୁଣ୍ଡ ବ୍ୟବହାର କରିବା ପରିବର୍ତ୍ତେ ପୁଣିଥରେ ଖୋଳା ମାଟି ପକାଯାଉଥିଲା। ଏହା ଫଳରେ ନିର୍ମାଣାଧୀନ ଭବନର ସ୍ଥାୟୀତ୍ୱ ଓ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଥିଲା। ଏଥିସହ କାର୍ଯ୍ୟସ୍ଥଳରେ ବିଭାଗୀୟ ତଦାରଖର ଅଭାବ ଏବଂ ପ୍ରକଳ୍ପର ଅଟକଳ ମୂଲ୍ୟ, କାର୍ଯ୍ୟ ବିବରଣୀ ଓ ସମୟସୀମା ସମ୍ବନ୍ଧୀୟ ସୂଚନା ଫଳକ ନଥିବାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା।
ଗଣମାଧ୍ୟମରେ ଏହି ଅଭିଯୋଗ ପ୍ରକାଶ ପାଇବା ପରେ ବିଧାୟକ ଘଟଣାସ୍ଥଳକୁ ପହଞ୍ଚି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ଏନ୍‌ପିସିସିର ନିର୍ବାହୀ ଯନ୍ତ୍ରୀ, ସମ୍ପୃକ୍ତ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କଠାରୁ ଜବାବ ତଲବ କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଥିଲେ। ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାରର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ଉନ୍ନତମାନର କାମ ସୁନିଶ୍ଚିତ କରିବାକୁ ଠିକାସଂସ୍ଥାକୁ କଡ଼ା ତାଗିଦ ଦେଇଥିଲେ।
ପରିଦର୍ଶନ ସମୟରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ।
ଏହି ଅବସରରେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ମଣ୍ଡଳ ସଭାପତି ବସନ୍ତ ନାଗ, ମଧୁବନ ପାତ୍ର, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ନରେନ୍ଦ୍ର ପ୍ରଧାନୀ, ମଣ୍ଡଳ ସମ୍ପାଦକ ମନୋଜ ନାଏକ, ଶାରଳା ପ୍ରସାଦ ପ୍ରଧାନୀ, ଇଶରାମ ସୁନାନୀ, ରଘୁମଣି ଖମାରି, ପ୍ରମୋଦ ପ୍ରଧାନୀ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, କ୍ଷୀରସିନ୍ଧୁ ନେଗି, ନବୀନ ପ୍ରଧାନୀ, ଧର୍ମାନନ୍ଦ ନେଗି, ବୈଦ୍ୟନାଥ ମାଝୀ, ସୁଶିଳ ପାଢ଼ୀଙ୍କ ସମେତ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାର ନ୍ୟୁଜ୍ ଓଡ଼ିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User