କେସିଙ୍ଗା ସରକାରୀ ବାଳିକା ହାଇସ୍କୁଲରେ "ସୁସ୍ଥ ହୃଦୟ, ସୁସ୍ଥ ଜୀବନ "ବାର୍ତ୍ତା ନେଇ ବିଶ୍ୱ ହୃଦୟ ଦିବସ ପାଳିତ
କେସିଙ୍ଗା, ୨୯/୯ (ଷ୍ଟାରନ୍ୟୁଜ ଓଡ଼ିଶା):
ହୃଦ୍ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି ଲକ୍ଷ୍ୟରେ କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି। ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ହୃଦ୍ରୋଗର କାରଣ ଓ ଏହାର ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସୁସ୍ଥ ହୃଦୟ ପାଇଁ ଦୈନନ୍ଦିନ ଜୀବନଶୈଳୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସୁଷମ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ ଓ ଶାରୀରିକ ପରିଶ୍ରମ, ମାନସିକ ଚାପ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ନିଦ୍ରା ଏବଂ ତମାଖୁ ଭଳି ଅସ୍ୱାସ୍ଥ୍ୟକର ଅଭ୍ୟାସଠାରୁ ଦୂରେଇ ରହିବା ଦ୍ୱାରା ହୃଦ୍ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାରେ ସହାୟତା ମିଳିପାରେ ବୋଲି ସେ କହିଥିଲେ।
ଏହି ଅବସରରେ ଛାତ୍ରୀମାନେ ହୃଦୟକୁ ସୁସ୍ଥ ରଖିବା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ। ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ହୃଦ୍ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ସେମାନେ ଆହ୍ୱାନ ଦେଇଥିଲେ।
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିପେନ୍ଦ୍ର ବାଗ ମଧ୍ୟ ହୃଦୟକୁ ସୁସ୍ଥ ରଖିବାରେ ଦୈନନ୍ଦିନ କାର୍ଯ୍ୟଶୈଳୀ ଓ ଅଭ୍ୟାସର ଭୂମିକା ସମ୍ପର୍କରେ ନିଜ ମତ ରଖିଥିଲେ।
କାର୍ଯ୍ୟକ୍ରମକୁ ନବମ ଶ୍ରେଣୀର ଛାତ୍ରୀ ସସ୍ମିତା ସାହୁ ଓ ଶୂଚିସ୍ମିତା କୁମାର ସଂଯୋଜନା କରିଥିଲେ। ଶେଷରେ ହିନ୍ଦୀ ଶିକ୍ଷକ କହ୍ନେଇଲାଲ ସାହୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)