କେସିଙ୍ଗା ସୂଚନାକେନ୍ଦ୍ର ଓ ପାଠାଗାର, ଲୋକ ସମ୍ପର୍କ ବିଭାଗ ଅଚଳ! ଭବନ ଅଛି, କର୍ମଚାରୀ ଅଛନ୍ତି—ହେଲେ ପାଠକଙ୍କ ପାଇଁ ଖୋଲୁନି ଦ୍ୱାର; ଅବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀଙ୍କ ଅସନ୍ତୋଷ

Oct 01, 2026 - 16:55
0 5
କେସିଙ୍ଗା ସୂଚନାକେନ୍ଦ୍ର ଓ ପାଠାଗାର, ଲୋକ ସମ୍ପର୍କ ବିଭାଗ  ଅଚଳ!  ଭବନ ଅଛି, କର୍ମଚାରୀ ଅଛନ୍ତି—ହେଲେ ପାଠକଙ୍କ ପାଇଁ ଖୋଲୁନି ଦ୍ୱାର; ଅବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀଙ୍କ ଅସନ୍ତୋଷ

କେସିଙ୍ଗା,୧ / ୧୦(ଷ୍ଟାରନିୟୁଜ ଓଡିଶା ):କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଦୀର୍ଘବର୍ଷ ଧରି ଲୋକଙ୍କୁ ସମ୍ବାଦପତ୍ର, ସୂଚନା ଓ ଜ୍ଞାନ ଯୋଗାଇ ଆସୁଥିବା ଲୋକସମ୍ପର୍କ ସୂଚନା ପାଠାଗାର ଏବେ ଅଚଳ ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ନିୟମିତ ଖବରକାଗଜ ପାଠକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ୧୯୯୦ ମସିହାରେ ଭୂପେନ୍ଦ୍ର ସିଂଙ୍କ କାର୍ଯ୍ୟକାଳ ସମୟରେ କେସିଙ୍ଗା ମେଡିକାଲ ନିକଟରେ ଲୋକସମ୍ପର୍କ ସୂଚନା ପାଠାଗାରର ଶୁଭାରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ NAC ଅଧ୍ୟକ୍ଷ ସରିତା ସିନ୍ଦୁରଙ୍କ କାର୍ଯ୍ୟକାଳରେ ଏହାକୁ ସରକାରୀ ଡାକ୍ତରଖାନା ନିକଟସ୍ଥ NAC କମ୍ପ୍ଲେକ୍ସକୁ ସ୍ଥାନାନ୍ତର କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
କିନ୍ତୁ ବର୍ତ୍ତମାନ ପାଠାଗାରର ସ୍ଥିତି ନେଇ ପ୍ରଶ୍ନ ଉଠିଛି। ପାଠାଗାର ସାମ୍ନାରେ ଫଳ ଦୋକାନ ରହିଥିବାରୁ ଏହାର ଦୃଶ୍ୟମାନତା ମଧ୍ୟ କମିଯାଇଛି। ଫଳରେ କେସିଙ୍ଗା ସହରର ଅନେକ ଲୋକ ଏଠାରେ ଲୋକସମ୍ପର୍କ ସୂଚନା ପାଠାଗାର ରହିଥିବା କଥା ମଧ୍ୟ  ଜାଣିପାରୁନଥିବା ଅଭିଯୋଗ ରହିଛି।
ବିଶେଷକରି ପ୍ରତିଦିନ ଖବରକାଗଜ ପଢ଼ିବାକୁ ଇଚ୍ଛୁକ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀ ଓ ସାଧାରଣ ପାଠକଙ୍କ ପାଇଁ ଏଭଳି ପାଠାଗାର ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସୁବିଧା। ହେଲେ ଏହା ନିୟମିତ ଭାବେ ଚାଲୁ ନଥିବାରୁ ସରକାରୀ ଉଦ୍ଦେଶ୍ୟ ଓ ବାସ୍ତବ ସ୍ଥିତି ମଧ୍ୟରେ ବଡ଼ ତଫାତ ଥିବା ନେଇ ପ୍ରଶ୍ନ ଉଠୁଛି।
ସ୍ଥାନୀୟ ମହଳରେ ଆହୁରି ଅଭିଯୋଗ ହେଉଛି ଯେ, ପାଠାଗାର ପାଇଁ କର୍ମଚାରୀ ନିଯୁକ୍ତ ଥିଲେ ମଧ୍ୟ ଅଫିସ୍ ଅଧିକାଂଶ ସମୟରେ ବନ୍ଦ ରହୁଛି। ଯଦି ଏହି ଅଭିଯୋଗ ସତ୍ୟ ହୁଏ, ତେବେ ସରକାରୀ ସମ୍ପତ୍ତି ଓ ଜନସାଧାରଣଙ୍କ ପାଇଁ ଥିବା ସେବାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ପାଠାଗାର ଖୋଲିବ କେବେ?
କେସିଙ୍ଗାବାସୀଙ୍କ ଦାବି, ପାଠାଗାରକୁ ପୁନର୍ବାର ସକ୍ରିୟ କରାଯାଇ ପ୍ରତିଦିନ ନିର୍ଦ୍ଧାରିତ ସମୟରେ ଖୋଲା ରଖାଯାଉ। ଏଥିସହ ପାଠାଗାରର ସ୍ପଷ୍ଟ ସାଇନ୍‌ବୋର୍ଡ ଲଗାଯିବା, ନିୟମିତ ଭାବେ ଖବରକାଗଜ ଉପଲବ୍ଧ କରାଯିବା ଏବଂ କର୍ମଚାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରାଯିବାକୁ ମଧ୍ୟ ଦାବି ହୋଇଛି।
ଏଥିସହ ପାଠାଗାରର ବର୍ତ୍ତମାନ ସ୍ଥାନକୁ ନେଇ ମଧ୍ୟ ବୁଦ୍ଧିଜୀବୀ ମହଳରେ ଆଲୋଚନା ହେଉଛି। ବୁଦ୍ଧିଜୀବୀଙ୍କ ମତରେ, ପାଠାଗାରକୁ ଅଧିକ ସୁବିଧାଜନକ ଓ ଲୋକଙ୍କ ସହଜ ଯାତାୟାତ ଥିବା ସ୍ଥାନ, ବିଶେଷକରି ପୁରୁଣା କୋର୍ଟ ନିକଟକୁ ସ୍ଥାନାନ୍ତର କରାଗଲେ ଏହାର ଉପଯୋଗିତା ବଢ଼ିପାରେ। ସେଠାରେ ନିୟମିତ ପାଠକଙ୍କ ସମାଗମ ବଢ଼ିବା ସହ ପାଠାଗାରର ଉଦ୍ଦେଶ୍ୟ ମଧ୍ୟ ଅଧିକ ସାର୍ଥକ ହୋଇପାରିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ଏବେ ପ୍ରଶ୍ନ ହେଉଛି—

ଲୋକଙ୍କ ପାଇଁ ନିର୍ମିତ ଲୋକସମ୍ପର୍କ ସୂଚନା ପାଠାଗାର ଯଦି ଲୋକଙ୍କ ପାଇଁ ହିଁ ଖୋଲୁନାହିଁ, ତେବେ ଏହାର ଉଦ୍ଦେଶ୍ୟ କ’ଣ? ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଏହି ଅଭିଯୋଗର ଯାଞ୍ଚ କରି ପାଠାଗାରକୁ ସକ୍ରିୟ କରିବେ କି, ନା ପାଠାଗାର ଏଭଳି ଅବହେଳିତ ଅବସ୍ଥାରେ ପଡ଼ିରହିବ—ତାହାକୁ ନେଇ ଏବେ କେସିଙ୍ଗାବାସୀଙ୍କ ନଜର।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User