ଜୟପାଟଣାରେ ବିକାଶ ନାମରେ ଅନିୟମ? ଜନତାଙ୍କ ପ୍ରଶ୍ନ—କାହିଁକି ଅଣଦେଖା?

Apr 03, 2026 - 23:46
0 13
ଜୟପାଟଣାରେ ବିକାଶ ନାମରେ ଅନିୟମ? ଜନତାଙ୍କ ପ୍ରଶ୍ନ—କାହିଁକି ଅଣଦେଖା?

କଳାହାଣ୍ଡି, ତା. ୦୩/୦୪ (ଷ୍ଟାର ନିୟୁଜ ଓଡିଶା )ଜୟପାଟଣା ବ୍ଲକରେ ସରକାରୀ କାର୍ଯ୍ୟପ୍ରଣାଳୀ ଉପରେ ଗୁରୁତର ପ୍ରଶ୍ନ ଉଠିଛି। ବିକାଶ ନାମରେ ଅନିୟମ, ଅପବ୍ୟୟ ଓ ଜନସାଧାରଣଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଜୋରଦାର ହୋଇଛି। ବିଶେଷକରି ଜୟପାଟଣା ଲାଖଲଚାପଡ଼ା (ଦାସପଡ଼ା) ଅଞ୍ଚଳର ଅବସ୍ଥା “ଦୀପତଳ ଅନ୍ଧାର” ସଦୃଶ୍ୟ ଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ଥିବା ସତ୍ତ୍ୱେ, ଏହି ଅଞ୍ଚଳ ସରକାରୀ ମୌଳିକ ସୁବିଧାରୁ ବଞ୍ଚିତ। ନାହିଁ ଭଲ ରାସ୍ତା, ନାହିଁ ଡ୍ରେନେଜ ବ୍ୟବସ୍ଥା, ନାହିଁ ଜଳୁଥିବା ଷ୍ଟ୍ରିଟ୍ ଲାଇଟ୍, ଏବଂ ଶୁଦ୍ଧ ପାନୀୟଜଳ ମଧ୍ୟ ଅଭାବ। ଏହା ସହିତ ଅଞ୍ଚଳରେ ଥିବା ପୋଖରୀଟି ଅବ୍ୟବସ୍ଥାରେ ପଡ଼ି ରହିଛି—ପଙ୍କ ଓ ଅଳିଆ ଆବର୍ଜନାରେ ପୂର୍ଣ୍ଣ, କିନ୍ତୁ ପ୍ରଶାସନଙ୍କ ଦୃଷ୍ଟି ପଡ଼ୁନାହିଁ।
ଏହା ସହିତ ନିକଟସ୍ଥ S.M. ରାଇସ ମିଲ୍ ପାଖରେ ଯଥାଯଥ ETP (Effluent Treatment Plant) ବ୍ୟବସ୍ଥା ନଥିବା ନେଇ ପରିବେଶ ଓ ସ୍ୱାସ୍ଥ୍ୟ ଜନିତ ଆଶଙ୍କା ବଢ଼ିଛି। ଅଙ୍ଗନୱାଡି କେନ୍ଦ୍ର ଓ ଶୌଚାଳୟ ମଧ୍ୟ ଅବ୍ୟବସ୍ଥା ଘେରରେ ରହିଛି।
ଅନ୍ୟପଟେ, ଅନାବଶ୍ୟକ କାର୍ଯ୍ୟରେ ପାଣ୍ଠିର ଅପବ୍ୟୟ ଘଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଭଲ ରାସ୍ତା ନଥିବା ସ୍ଥିତିରେ ପୁନଃପୁନି କଂକ୍ରିଟ ରାସ୍ତା ଉପରେ ନୂଆ କଂକ୍ରିଟ କାମ କରାଯାଉଛି। ବିକଶିତ ଓଡ଼ିଶା ପାଣ୍ଠି ତରଫରୁ ୩.୫ ଲକ୍ଷ ଟଙ୍କାର ଫେବର ବ୍ଲକ୍ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ଆସିଛି।
ସେହିପରି, PWD ରାସ୍ତାରୁ ଶିବମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ବର୍ଷକ୍ରମେ ପାଣ୍ଠି ବ୍ୟୟ ହୋଇଥିଲେ ମଧ୍ୟ, କୌଣସି ସୂଚନା ଫଳକ (Information Board) ନଥିବା ଦୃଶ୍ୟ ଗୁରୁତର ସନ୍ଦେହ ସୃଷ୍ଟି କରିଛି। SFC ୨୦୨୪–୨୫ରେ ୧ ଲକ୍ଷ, ୨୦୨୫–୨୬ରେ ୧.୫ ଲକ୍ଷ ଓ ୨୦୨୬ରେ ଅଧିକ ଅର୍ଥ ବ୍ୟୟ ହୋଇଥିବା ସତ୍ତ୍ୱେ, ପ୍ରକଳ୍ପ ସମ୍ପର୍କିତ ସ୍ପଷ୍ଟ ତଥ୍ୟ ଲୋକଙ୍କୁ ମିଳୁନାହିଁ।
ସ୍ଥାନୀୟ ଲୋକମାନଙ୍କ ପ୍ରଶ୍ନ—
ପ୍ରଶାସନ କାହିଁକି ନିରବ ଦର୍ଶକ?
 ଜନସାଧାରଣଙ୍କ ସମସ୍ୟା କାହିଁକି ଅଣଦେଖା?
କେତେ ପାଣ୍ଠି ଆସିଲା ଏବଂ କେଉଁଠି ବ୍ୟୟ ହେଲା?
ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମରାଜ ମାଝୀଙ୍କ ନିର୍ବାହୀତ୍ୱରେ ଏଭଳି କାର୍ଯ୍ୟ ପ୍ରଚାଳିତ ହେଉଥିବାରୁ ପ୍ରଶାସନ ଉପରେ ଜନମନର ଆସ୍ଥା କ୍ଷୀଣ ହେଉଛି।
ଏହି ପରିସ୍ଥିତିରେ ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି—ତତ୍କ୍ଷଣାତ୍ ତଦନ୍ତ କରାଯାଇ, ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User