ଜୟପାଟଣାରେ ବ୍ୟବସାୟୀଙ୍କ ଘରେ ପୋଲିସର ଚଢ଼ାଉ ଘରୁ ୧୦ କାର୍ଟୁନ୍ ବାଣ ଜବତ, ବେଆଇନ ଗଚ୍ଛିତ ଓ ବ୍ୟବସାୟ ଅଭିଯୋଗରେ ତଦନ୍ତ ଜାରି
କଳାହାଣ୍ଡି, ୦୩/୧୧ (ଷ୍ଟାରନିୟୁଜ ଓଡ଼ିଶା): ଆବାସିକ ଅଞ୍ଚଳରେ ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ବ୍ୟବସାୟ କରିବା ଅଭିଯୋଗରେ ଜୟପାଟଣା ପୋଲିସ ପକ୍ଷରୁ ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଘରର ଏକ କୋଠରୀରୁ ପ୍ରାୟ ୧୦ଟି ବଡ଼ କାର୍ଟୁନ୍ ବାଣ ଜବତ ହୋଇଛି।
ସୂଚନା ଅନୁଯାୟୀ, କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜୟପାଟଣା ଥାନା ପୋଲିସ ପକ୍ଷରୁ ଆଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ଚଢ଼ାଉ କରାଯାଇଥିଲା। ଏହି କ୍ରମରେ ଜୟପାଟଣାର ବ୍ୟବସାୟୀ ବଜରଙ୍ଗ ଅଗ୍ରୱାଲଙ୍କ ବାସଭବନରେ ପୋଲିସ ତଲାସୀ କରିଥିଲା। ତଲାସୀ ସମୟରେ ଏକ କୋଠରୀରେ ଗଚ୍ଛିତ ଥିବା ପ୍ରାୟ ୧୦ କାର୍ଟୁନ୍ ବାଣ ଠାବ କରାଯାଇଥିଲା।
ପୋଲିସ ଉକ୍ତ ବାଣଗୁଡ଼ିକୁ ଜବତ କରି ନିଜ ହେପାଜତକୁ ନେବା ସହ ଥାନାରେ ରଖିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ବାଣ ସମ୍ପର୍କିତ ଅନୁରୂପ ଘଟଣାରେ ପ୍ରାୟ ଚାରି ଟ୍ରକ୍ ବାଣ ଜବତ ହୋଇଥିବା ଜଣାପଡ଼ିଛି।
ଘଟଣାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ବାଣ ଗଚ୍ଛିତ ରଖିବା ଓ ବ୍ୟବସାୟ ସମ୍ପର୍କିତ ଆବଶ୍ୟକ ଅନୁମତି ଏବଂ ଆଇନଗତ ଦିଗ ଯାଞ୍ଚ କରାଯିବା ପରେ ନିୟମାନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜୟପାଟଣା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)