ପଲିଥିନ ଛାଉଣି ତଳେ ରୋଷେଇ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ – କେବେ ନିର୍ମାଣ ହେବ ରୋଷେଇ ଗୃହ?

Jul 28, 2026 - 14:36
0 18
ପଲିଥିନ ଛାଉଣି ତଳେ ରୋଷେଇ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ – କେବେ ନିର୍ମାଣ ହେବ ରୋଷେଇ ଗୃହ?

କୋକସରା, ୨୮/୦୭ (ଷ୍ଟାରନ୍ୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧୀନ ଡାଲଗୁମା ପଞ୍ଚାୟତର ଚିତାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୮୮ ଜଣ ଛାତ୍ରଛାତ୍ରୀ ପାଠପଢ଼ୁଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏକ ସ୍ଥାୟୀ ରୋଷେଇ ଗୃହ ନିର୍ମାଣ ହୋଇପାରିନାହିଁ।
୨୦୨୦ ମସିହାରୁ ବିଦ୍ୟାଳୟ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ବାରଣ୍ଡା ଭଙ୍ଗାଯିବା ପରେ ରୋଷେଇ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ। ଫଳରେ ବିଦ୍ୟାଳୟ ପରିସରରେ ପଲିଥିନ ଛାଉଣି ତଳେ ଖୋଲା ପରିବେଶରେ ପ୍ରତିଦିନ ମଧ୍ୟାହ୍ନ ଭୋଜନ ରନ୍ଧାଯାଉଛି।
ବର୍ଷା ଋତୁରେ ଏଭଳି ପରିସ୍ଥିତିରେ ରୋଷେଇ କରିବା ରୋଷେୟାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ଏହା ସହ ଖାଦ୍ୟର ସ୍ୱଚ୍ଛତା, ଗୁଣବତ୍ତା ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଶିକ୍ଷା ବ୍ୟବସ୍ଥାର ଏପରି ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀଙ୍କ ଦାବି, ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ନିଶ୍ଚିତ କରିବାକୁ ତୁରନ୍ତ ଏକ ସ୍ଥାୟୀ ରୋଷେଇ ଗୃହ ନିର୍ମାଣ କରାଯିବା ଆବଶ୍ୟକ।
ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଗାମ୍ବର ଦଳପତି କହିଛନ୍ତି ଯେ, ରୋଷେଇ ଗୃହ ନିର୍ମାଣ ପାଇଁ ବହୁବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇନାହିଁ। ବାଧ୍ୟ ହୋଇ ପଲିଥିନ ଛାଉଣି ତଳେ ରୋଷେଇ କରିବାକୁ ପଡ଼ୁଛି।
ଅନ୍ୟପକ୍ଷରେ କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟି କହିଛନ୍ତି ଯେ, ଘଟଣାଟି ବିଭାଗର ନଜରରେ ରହିଛି। ରୋଷେଇ ଗୃହ ନିର୍ମାଣ ପାଇଁ ଅନୁଦାନ ମଗାଯାଇଛି। ଅନୁଦାନ ମିଳିବା ମାତ୍ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।
ତେବେ ଏଭଳି ପରିସ୍ଥିତିରେ ପଲିଥିନ ତଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ଘଟଣା ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମିଗତ ସମସ୍ୟାକୁ ପୁଣିଥରେ ପଦାକୁ ଆଣିଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ବିଭାଗ କେବେ ସ୍ଥାୟୀ ସମାଧାନ କରୁଛି, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User