ବାଘ ଛାଲ ବିକ୍ରି ଉଦ୍ୟମ ପଣ୍ଡ, ଅଭିଯୁକ୍ତ ଗିରଫ ଛାଲ ସହ ବାଘ ଦାନ୍ତ ଓ ୧୪ ନଖ ଜବତ; ଚାଲିଛି ଚୋରା ବନ୍ୟପ୍ରାଣୀ କାରବାରର ଖୋଳତାଡ଼

Aug 07, 2026 - 15:32
0 42
ବାଘ ଛାଲ ବିକ୍ରି ଉଦ୍ୟମ ପଣ୍ଡ, ଅଭିଯୁକ୍ତ ଗିରଫ ଛାଲ ସହ ବାଘ ଦାନ୍ତ ଓ ୧୪ ନଖ ଜବତ; ଚାଲିଛି ଚୋରା ବନ୍ୟପ୍ରାଣୀ କାରବାରର ଖୋଳତାଡ଼

କଳାହାଣ୍ଡି/ଧର୍ମଗଡ଼:୭l୮( ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାରେ ବାଘ ଛାଲ ବିକ୍ରି ପାଇଁ ଚାଲିଥିବା ଉଦ୍ୟମକୁ ବନ ବିଭାଗ ବିଫଳ କରିଛି। ଧର୍ମଗଡ଼ ବନାଞ୍ଚଳ ଅଧୀନ ବେହେରା ଫରେଷ୍ଟ ସେକ୍ସନର କୋକସରା ବ୍ଲକ ଡ଼ହଗାଁ ନିକଟରେ ଚଢ଼ାଉ କରି ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବାଘ ଛାଲ, ବାଘ ଦାନ୍ତ ଓ ନଖ ଜବତ କରିଛି।
ବୁଧବାର ଡ଼ହଗାଁ ନିକଟରେ ଜଣେ ବ୍ୟକ୍ତି ବାଘ ଛାଲ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ସୂଚନା ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ବନ ବିଭାଗକୁ ମିଳିଥିଲା। ସୂଚନା ପାଇବା ପରେ ତୁରନ୍ତ ଅଭିଯାନ ଆରମ୍ଭ କରାଯାଇ ଘଟଣାସ୍ଥଳରୁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାବୁ କରାଯାଇଥିଲା।
କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏସିଏଫଙ୍କ ତତ୍ତ୍ୱାବଧାନରେ ଧର୍ମଗଡ଼ ରେଞ୍ଜ ଅଧିକାରୀ ସିମାଞ୍ଚଳ ମିଶ୍ରଙ୍କ ନେତୃତ୍ୱରେ ବେହେରା ଫରେଷ୍ଟର କ୍ଷୀରୋଦ ଚନ୍ଦ୍ର ସେଠ, ବନରକ୍ଷୀ ଲଳିତ ନାଏକ, ପ୍ରଭାସିନୀ ଗୋପାଳ ଏବଂ ପାରାଷ୍ଟାଫ କ୍ଷତ୍ରିଅ ନାଏକ ଓ ମାନସ ସା ଚଢ଼ାଉରେ ସାମିଲ ହୋଇଥିଲେ।
ଗିରଫ ଅଭିଯୁକ୍ତଙ୍କ ପରିଚୟ ସୁକେନ୍ ଗୌଡ଼ ବୋଲି ଜଣାପଡ଼ିଛି। ସେ ମୂଳତଃ ଝାଡ଼ଖଣ୍ଡର ବାସିନ୍ଦା ହୋଇଥିବାବେଳେ ଦୀର୍ଘବର୍ଷ ଧରି ନବରଙ୍ଗପୁର ଜିଲ୍ଲାର ହିର୍ଲି ଡଙ୍ଗର ଅଞ୍ଚଳରେ ରହୁଥିବା ବନ ବିଭାଗ ପକ୍ଷରୁ ଜଣାପଡ଼ିଛି।
ଜବତ ସାମଗ୍ରୀ:
ଗୋଟିଏ ବାଘ ଛାଲ
ଗୋଟିଏ ବାଘ ଦାନ୍ତ
୧୪ଟି ବାଘ ନଖ
ଅଭିଯୁକ୍ତଙ୍କୁ ଧର୍ମଗଡ଼ ବନ ବିଭାଗ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଇଥିଲା। ପରେ ଗୁରୁବାର ତାଙ୍କୁ କୋକସରା ଜେଏମଏଫସି କୋର୍ଟରେ ହାଜର କରାଯାଇଥିବାବେଳେ କୋର୍ଟ ତାଙ୍କୁ ଜେଲ ହାଜତକୁ ପଠାଇ ଦେଇଛନ୍ତି।
ବାଘ ଛାଲ ଓ ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗର ଏହି କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଜବତ ସାମଗ୍ରୀ କେଉଁଠାରୁ ଆସିଥିଲା, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ବିଷ୍ଣୁ ଚରଣ ସ୍ୱାଇଁ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User