ବେଲାମାଲ ଶନିଶ୍ଚର ମନ୍ଦିରରେ ଚୋରି ଓ ଭଙ୍ଗାରୁଜା ୬ଟି ମୂର୍ତ୍ତି ଭାଙ୍ଗିଲେ, ଘଣ୍ଟି ସମେତ ବିଭିନ୍ନ ପୂଜା ସାମଗ୍ରୀ ଚୋରି ଅଭିଯୋଗ

Oct 02, 2026 - 14:02
0 3
ବେଲାମାଲ ଶନିଶ୍ଚର ମନ୍ଦିରରେ ଚୋରି ଓ ଭଙ୍ଗାରୁଜା ୬ଟି ମୂର୍ତ୍ତି ଭାଙ୍ଗିଲେ, ଘଣ୍ଟି ସମେତ ବିଭିନ୍ନ ପୂଜା ସାମଗ୍ରୀ ଚୋରି ଅଭିଯୋଗ

କେସିଙ୍ଗା, ୨/୧୦ (ଷ୍ଟାରନିୟୁଜ ଓଡ଼ିଶା):

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପlଷ୍ଟିକୁଡି ଗ୍ରାମପଞ୍ଚାୟତ ଅଧୀନ ବେଲାମାଲ ଗ୍ରାମରେ ଥିବା ଶନିଶ୍ଚର ଦେବଙ୍କ ମନ୍ଦିରରେ ଚୋରି ଓ ଭଙ୍ଗାରୁଜା ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ରାତିରେ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ପ୍ରବେଶ କରି ମନ୍ଦିରର ବିଭିନ୍ନ ସାମଗ୍ରୀ ଚୋରି କରିବା ସହ ମୂର୍ତ୍ତି ଭାଙ୍ଗିଥିବା ମନ୍ଦିର କମିଟି ପକ୍ଷରୁ ଅଭିଯୋଗ କରାଯାଇଛି।
ସୂଚନା ଅନୁସାରେ, ସକାଳୁ ମନ୍ଦିର ପରିସରରେ ଭଙ୍ଗା ମୂର୍ତ୍ତି ଓ ଅନେକ ସାମଗ୍ରୀ ନଥିବା ଦେଖିବା ପରେ ଘଟଣା ସମ୍ପର୍କରେ ମନ୍ଦିର କମିଟି ଏବଂ ଗ୍ରାମବାସୀ ଜାଣିବାକୁ ପାଇଥିଲେ। ମନ୍ଦିର କମିଟିର ଅଭିଯୋଗ ଅନୁଯାୟୀ, ମନ୍ଦିରରେ ଥିବା ପ୍ରାୟ ୬ଟି ମୂର୍ତ୍ତି ଭାଙ୍ଗି ଦିଆଯାଇଛି।
ଏଥିସହ ମନ୍ଦିରରୁ ୫ଟି ଘଣ୍ଟି, ଯୋଗଖୁଣ୍ଟ, ତ୍ରିଶୂଳ, କୁମ୍ଭ, ଚାଉଳ, ପୂଜା ବାସନକୁସନ, ଆଳତି ସାମଗ୍ରୀ, ବିଦ୍ୟୁତ୍ ସାମଗ୍ରୀ ସମେତ ଅନ୍ୟାନ୍ୟ ପୂଜା ଉପକରଣ ଚୋରି ହୋଇଥିବା କମିଟି ପକ୍ଷରୁ କୁହାଯାଇଛି। ଚୋରି ହୋଇଥିବା ସାମଗ୍ରୀର ମୋଟ ମୂଲ୍ୟ ଏପର୍ଯ୍ୟନ୍ତ ଆକଳନ ହୋଇନଥିବା ଜଣାପଡ଼ିଛି।
ଘଟଣାକୁ ନେଇ ମନ୍ଦିର କମିଟି ପକ୍ଷରୁ ସଦର ଥାନା ପୁଲିସକୁ ଲିଖିତ ଅଭିଯୋଗ ଦିଆଯାଇଛି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ଏବଂ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଦିଗରେ ତଦନ୍ତ ଜାରି ରହିଛି।
ମନ୍ଦିରରେ ମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମାଞ୍ଚଳର ଧାର୍ମିକ ସ୍ଥଳଗୁଡ଼ିକର ସୁରକ୍ଷା ନେଇ ମଧ୍ୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି। ମନ୍ଦିରରେ ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥା ଓ ଆଲୋକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ତେବେ ଏହି ଘଟଣାରେ କେତେଜଣ ସମ୍ପୃକ୍ତ ଏବଂ ଚୋରି ହୋଇଥିବା ସାମଗ୍ରୀ କେଉଁଠାକୁ ନିଆଯାଇଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାର ଶୀଘ୍ର ତଦନ୍ତ କରି ଚୋରି ସାମଗ୍ରୀ ଉଦ୍ଧାର ସହ ଦୋଷୀଙ୍କ ବିରୋଧରେ ଆଇନାନୁଗତ ପଦକ୍ଷେପ ନିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User