ସରକାରରୀ ଯୋଜନା କେଉଁଠି? ୮୧ ବର୍ଷ ରେ ବି ରାମଚରଣ ଙ୍କୁ ୧୦୦୦ଟଙ୍କା ପେନସନ

Aug 24, 2026 - 15:37
0 28
ସରକାରରୀ ଯୋଜନା କେଉଁଠି? ୮୧ ବର୍ଷ ରେ ବି ରାମଚରଣ ଙ୍କୁ ୧୦୦୦ଟଙ୍କା ପେନସନ

କେସିଙ୍ଗା, ୨୪/୮ (ଷ୍ଟାରନିୟୁଜ ଓଡିଶା):

ବୟସ ୮୧ ବର୍ଷ। ଜୀବନର ଶେଷ ପର୍ଯ୍ୟାୟରେ ସରକାରୀ ସାମାଜିକ ସୁରକ୍ଷା ଯୋଜନାର ସହାୟତା ଉପରେ ନିର୍ଭରଶୀଳ ଜଣେ ବୃଦ୍ଧ। କିନ୍ତୁ ନିୟମ ଅନୁଯାୟୀ ବର୍ଦ୍ଧିତ ପେନସନ ପାଇବା କଥା ଥିଲେ ମଧ୍ୟ ତାଙ୍କ ହାତକୁ ଆସୁଛି ମାତ୍ର ୧,୦୦୦ ଟଙ୍କା। ନିଜ ହକ୍‌ର ଭତ୍ତା ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟ ଦୌଡ଼ୁଥିଲେ ମଧ୍ୟ ସମାଧାନ ମିଳୁନଥିବା ଅଭିଯୋଗ ହୋଇଛି।
କେସିଙ୍ଗା ଏନ୍‌ଏସିର ୩ ନମ୍ବର ୱାର୍ଡ ବିସନଲ ନିକଟରେ ବସବାସ କରୁଥିବା ରାମଚନ୍ଦ୍ର ସାହୁଙ୍କ ବୟସ ୮୧ ବର୍ଷ। ତାଙ୍କ ଅଭିଯୋଗ ଅନୁସାରେ, ଏବେ ମଧ୍ୟ ସେ ମାସକୁ ମାତ୍ର ୧,୦୦୦ ଟଙ୍କା ପେନସନ ପାଉଛନ୍ତି। ୮୦ ବର୍ଷ ପୂରଣ ହେବା ପରେ ବର୍ଦ୍ଧିତ ପେନସନ ପାଇଁ ସେ ଏକାଧିକ ଥର କେସିଙ୍ଗା ଏନ୍‌ଏସି କାର୍ଯ୍ୟାଳୟକୁ ଯାଇ ଆବେଦନ କରିଥିବା କହିଛନ୍ତି। ହେଲେ ଆବେଦନ ସତ୍ତ୍ୱେ ତାଙ୍କ ପେନସନ ରାଶିରେ କୌଣସି ପରିବର୍ତ୍ତନ ହୋଇନଥିବା ଅଭିଯୋଗ କରିଛନ୍ତି।
ସରକାରୀ ନିୟମ ଅନୁଯାୟୀ, ମଧୁବାବୁ ପେନସନ ଯୋଜନାରେ ୮୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଯୋଗ୍ୟ ହିତାଧିକାରୀଙ୍କ ପେନସନ ରାଶି ୨୦୨୫ ଜାନୁଆରୀରୁ ମାସିକ ୩,୫୦୦ ଟଙ୍କା କରାଯାଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ୮୧ ବର୍ଷୀୟ ରାମଚନ୍ଦ୍ରଙ୍କୁ ଏପର୍ଯ୍ୟନ୍ତ କାହିଁକି ମାତ୍ର ୧,୦୦୦ ଟଙ୍କା ମିଳୁଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।
ବୟସ ଅନୁଯାୟୀ ପେନସନ ବୃଦ୍ଧିର ନିୟମ ଥିବା ସତ୍ତ୍ୱେ ତାହା କାର୍ଯ୍ୟକାରୀ ହେଉନାହିଁ କାହିଁକି? ରାମଚରଣ ସାହୁ ଙ୍କ ଆବେଦନ କେଉଁଠାରେ ଅଟକିଛି? ତାଙ୍କ ରେକର୍ଡ ଯାଞ୍ଚ ହୋଇଛି କି? ଯଦି ସେ ଯୋଗ୍ୟ, ତେବେ ବର୍ଦ୍ଧିତ ପେନସନ ପ୍ରଦାନରେ ବିଳମ୍ବର କାରଣ କ’ଣ? ଏସବୁ ପ୍ରଶ୍ନର ଉତ୍ତର ଏବେ ପ୍ରଶାସନକୁ ଦେବାକୁ ପଡ଼ିବ।
୮୧ ବର୍ଷ ବୟସରେ ଜଣେ ବୃଦ୍ଧଙ୍କ ପାଇଁ ବାରମ୍ବାର କାର୍ଯ୍ୟାଳୟ ଯାଇ ଆବେଦନ କରିବା ସହଜ ନୁହେଁ। ତେଣୁ ହିତାଧିକାରୀଙ୍କ ଆବେଦନର ସ୍ଥିତି ଯାଞ୍ଚ କରିବା, ଆବଶ୍ୟକ ତଥ୍ୟ ଅପଡେଟ୍ କରିବା ଏବଂ ଯୋଗ୍ୟ ଥିଲେ ତୁରନ୍ତ ବର୍ଦ୍ଧିତ ପେନସନ ପ୍ରଦାନ କରିବା ପାଇଁ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ।
ଏନେଇ କେସିଙ୍ଗା ଏନ୍‌ଏସି ପ୍ରଶାସନ ତୁରନ୍ତ ରାମଚନ୍ଦ୍ର ସାହୁଙ୍କ ପେନସନ ରେକର୍ଡ ଓ ପୂର୍ବରୁ ଦିଆଯାଇଥିବା ଆବେଦନର ଯାଞ୍ଚ କରିବା ସହ ଯଦି ସେ ନିୟମ ଅନୁଯାୟୀ ଯୋଗ୍ୟ, ତେବେ ବର୍ଦ୍ଧିତ ପେନସନ ସହ ବକେୟା ରାଶି ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।
ଯେଉଁ ବୟସରେ ଜଣେ ବୃଦ୍ଧଙ୍କୁ ସରକାରୀ ସହାୟତା ଘରେ ପହଞ୍ଚିବା କଥା, ସେହି ବୟସରେ ନିଜ ଅଧିକାର ପାଇଁ ଯଦି ତାଙ୍କୁ ଅଫିସ୍‌ ଦ୍ୱାର ଦୌଡ଼ିବାକୁ ପଡ଼େ, ତେବେ ସାମାଜିକ ସୁରକ୍ଷା ଯୋଜନାର ପ୍ରକୃତ ସଫଳତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User