କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ରଥ’ ପିଏମ୍ ସୂର୍ଯ୍ୟ ଘର ଯୋଜନା ନେଇ ଜନସଚେତନତା; ରୁଫ୍‌ଟପ୍ ସୋଲାର ଆପଣାଇବାକୁ ଲୋକଙ୍କୁ ଆହ୍ୱାନ

Sep 29, 2026 - 20:59
0 0
କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ରଥ’ ପିଏମ୍ ସୂର୍ଯ୍ୟ ଘର ଯୋଜନା ନେଇ ଜନସଚେତନତା; ରୁଫ୍‌ଟପ୍ ସୋଲାର ଆପଣାଇବାକୁ ଲୋକଙ୍କୁ ଆହ୍ୱାନ

କେସିଙ୍ଗା /ଭବାନୀପାଟଣା, ୨୯/୦୯ (ଷ୍ଟାରନ୍ୟୁଜ୍ ଓଡ଼ିଶା): ପରିବେଶ ଅନୁକୂଳ ଶକ୍ତିର ବ୍ୟବହାର ବଢ଼ାଇବା ସହ ଘର ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ନେଇ ଲୋକଙ୍କୁ ସଚେତନ କରିବାକୁ କଳାହାଣ୍ଡିରେ ଗଡ଼ିଛି ‘ସୋଲାର ରଥ’। ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଓ ରୁଫ୍‌ଟପ୍ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଡବ୍ଲୁଓଡିଏଲ୍‌) ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି।
ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ‘ସୋଲାର ରଥ’କୁ ସବୁଜ ପତାକା ଦେଖାଇ ଜିଲ୍ଲା ପରିକ୍ରମାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ, ଆର୍ଥିକ ସେବା ବିଭାଗର ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ଟିପିଡବ୍ଲୁଓଡିଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ନେଇ ଅଧିକରୁ ଅଧିକ ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ ‘ସୋଲାର ରଥ’ ଅଭିଯାନ ଆରମ୍ଭ କରାଯାଇଛି। ସମ୍ବଲପୁରରୁ ଏହି ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବରଗଡ଼, ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲା ଦେଇ ଏବେ ଏହା କଳାହାଣ୍ଡିରେ ପହଞ୍ଚିଛି।
ଏହି ସଚେତନତା ରଥ ମାଧ୍ୟମରେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ରୁଫ୍‌ଟପ୍ ସୋଲାରର ଉପଯୋଗିତା, ପିଏମ୍ ସୂର୍ଯ୍ୟ ଘର ଯୋଜନାର ସୁବିଧା ଓ ସୌର ଶକ୍ତି ବ୍ୟବହାର ସମ୍ପର୍କରେ ସଚେତନ କରାଯିବ। ଘରୋଇ ବିଦ୍ୟୁତ ଆବଶ୍ୟକତା ପୂରଣ ସହ ସୌର ଶକ୍ତିର ବ୍ୟବହାର ଦ୍ୱାରା ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତି ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ ବୋଲି ଆଶା ପ୍ରକାଶ ପାଇଛି।
ପଶ୍ଚିମ ଓଡ଼ିଶାର ଅଧିକ ଅଞ୍ଚଳରେ ଏହି ଅଭିଯାନ ପହଞ୍ଚିବା ସହ ପିଏମ୍ ସୂର୍ଯ୍ୟ ଘର ଯୋଜନା ଓ ରୁଫ୍‌ଟପ୍ ସୋଲାର ସମ୍ପର୍କରେ ଲୋକଙ୍କୁ ସରଳ ଭାବେ ତଥ୍ୟ ମିଳିପାରିବ ବୋଲି ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User