ପଥର କୁଆଁରୀର ଗଭୀର ପାଣିରେ ବୁଡ଼ି ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ଅଗ୍ନିଶମ ବାହିନୀର ଦୀର୍ଘ ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତଦେହ, କୁଆଁରୀକୁ ପୋତିବାକୁ ଗ୍ରାମବାସୀଙ୍କ ଦାବି
କଳାହାଣ୍ଡି, ୦୩/୧୧ (ଷ୍ଟାରନ୍ୟୁୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପାଦେପୁର ପଞ୍ଚାୟତର ଯୋଡ଼ାବନ୍ଧ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଚନ୍ଦନପୁରସ୍ଥିତ ଏକ ପରିତ୍ୟକ୍ତ ପଥର କୁଆଁରୀର ଗଭୀର ପାଣିରେ ବୁଡ଼ି ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯୋଡ଼ାବନ୍ଧ ଗ୍ରାମର ରାମ ମାଝୀଙ୍କ ପୁଅ ବିରଞ୍ଚି ମାଝୀ।
ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ପ୍ରାୟ ୧ଟା ସମୟରେ ବିରଞ୍ଚି ନିଜ ଗ୍ରାମର କିଛି ସାଙ୍ଗଙ୍କ ସହ ଚନ୍ଦନପୁର ପଥର କୁଆଁରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଗଭୀର ପାଣିକୁ ଡେଇଁବା ସମୟରେ ସେ ବୁଡ଼ି ଯାଇଥିଲେ। କୁଆଁରୀରେ ପ୍ରାୟ ୨୦ ଫୁଟରୁ ଅଧିକ ଗଭୀର ପାଣି ଥିବାରୁ ସେ ଆଉ ଉପରକୁ ଉଠିପାରି ନଥିଲେ।
ଦୀର୍ଘ ସମୟ ପର୍ଯ୍ୟନ୍ତ ବିରଞ୍ଚି ପାଣିରୁ ବାହାରକୁ ନ ଆସିବାରୁ ତାଙ୍କ ସହ ଥିବା ସାଙ୍ଗମାନେ ଭୟଭୀତ ହୋଇ ଯୋଡ଼ାବନ୍ଧ ଗ୍ରାମକୁ ଦୌଡ଼ି ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ସଦସ୍ୟ ଓ ଗ୍ରାମବାସୀ ତୁରନ୍ତ କୁଆଁରୀ ନିକଟରେ ପହଞ୍ଚି ପାଣି ଭିତରେ ଖୋଜାଖୋଜି କରିଥିଲେ। ତେବେ ଦୀର୍ଘ ସମୟ ଖୋଜିବା ପରେ ମଧ୍ୟ ବାଳକଙ୍କ ସନ୍ଧାନ ମିଳିନଥିଲା।
ଏହାପରେ ଗ୍ରାମବାସୀ ଚମ୍ପାଦେପୁର ପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ମାଝୀଙ୍କୁ ଫୋନ୍ ଯୋଗେ ଘଟଣା ବିଷୟରେ ଜଣାଇଥିଲେ। ସରପଞ୍ଚ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲାଞ୍ଜିଗଡ଼ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ଥାନା ଆଇଆଇସି ଯଶବନ୍ତ ହିଆଲଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ବଳଭଦ୍ର ଗୌଡ଼ ପୋଲିସ କର୍ମଚାରୀ ଓ ଆଇଆରବି ବାହିନୀ ସହ ଘଟଣାସ୍ଥଳକୁ ପହଞ୍ଚିଥିଲେ।
ଏହାସହ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗଭୀର ପାଣିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବିଭାଗର ଏଲଏଫଏଫ୍ ନରେଶ କୁମାର ଶବର, ଏଫଏଫଡି ଶ୍ରୀକାନ୍ତ ସାହୁ, ଏଫଏଫ୍ ଶରତ ଚନ୍ଦ୍ର ବେହେରା ଓ ମନୋଜ ଦାଣ୍ଡିଆଙ୍କ ସମେତ ଅନ୍ୟ କର୍ମଚାରୀମାନେ ଦୀର୍ଘ ସମୟ ଧରି ପାଣି ଭିତରେ ଖୋଜାଖୋଜି କରିଥିଲେ।
ପ୍ରାୟ ୧ ଘଣ୍ଟା ୨୦ ମିନିଟ୍ର ଅକ୍ଲାନ୍ତ ପରିଶ୍ରମ ପରେ ଅପରାହ୍ନ ୩ଟା ୫୪ ମିନିଟ୍ ସମୟରେ ଅଗ୍ନିଶମ ବାହିନୀ ବୁଡ଼ିଯାଇଥିବା ବାଳକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।
ପରେ ଏଏସଆଇ ବଳଭଦ୍ର ଗୌଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୟୁଡି କେସ୍ ନଂ ୦୫/୨୦୨୬ ରୁଜୁ କରିଥିଲେ। ବିଶ୍ୱନାଥପୁର ଡାକ୍ତରଖାନା ସହ ଯୋଗାଯୋଗ କରି ସରକାରୀ ଆମ୍ବୁଲାନ୍ସ ଡକାଯାଇ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଲାଞ୍ଜିଗଡ଼ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା। ସନ୍ଧ୍ୟା ହୋଇଯାଇଥିବାରୁ ସେଦିନ ବ୍ୟବଚ୍ଛେଦ ସମ୍ଭବ ହୋଇନଥିଲା। ପରଦିନ ସକାଳେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିଲା।
ପଥର କୁଆଁରୀ ପୋତିବାକୁ ଗ୍ରାମବାସୀଙ୍କ ଦାବି
ଏହି ଅଘଟଣ ପରେ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ଓ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ପଥର କୁଆଁରୀ ଯୋଗୁଁ ପୂର୍ବରୁ ମଧ୍ୟ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ତେଣୁ ଆଗକୁ ଏଭଳି ଅଘଟଣ ଯେପରି ନ ଘଟେ, ସେଥିପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ କୁଆଁରୀକୁ ମାଟି ପକାଇ ପୋତିବା କିମ୍ବା ସୁରକ୍ଷିତ ଭାବେ ବନ୍ଦ କରିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ଏହି ଅକାଳ ମୃତ୍ୟୁ ଯୋଡ଼ାବନ୍ଧ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଅସୁରକ୍ଷିତ ପଥର କୁଆଁରୀଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)