୧୫ ଦିନ ଧରି ଜ୍ୱର-ଥଣ୍ଡା-କାଶରେ ଗ୍ରାମବାସୀ, କେଲୁଆରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଟିମ୍ ୮୬ ଜଣଙ୍କ ମ୍ୟାଲେରିଆ ପରୀକ୍ଷା ନେଗେଟିଭ୍; ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଦାବି

Aug 11, 2026 - 11:58
Updated: 4 months ago
0 16
୧୫ ଦିନ ଧରି ଜ୍ୱର-ଥଣ୍ଡା-କାଶରେ ଗ୍ରାମବାସୀ, କେଲୁଆରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଟିମ୍ ୮୬ ଜଣଙ୍କ ମ୍ୟାଲେରିଆ ପରୀକ୍ଷା ନେଗେଟିଭ୍; ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଦାବି

ଥୁଆମୂଳ ରାମପୁର, ୧୧/୮ (ଷ୍ଟାରନିୟୁଜ ଓଡିଶା ):
ଦୀର୍ଘଦିନ ଧରି ଜ୍ୱର, ଥଣ୍ଡା ଓ କାଶରେ ଗ୍ରାମବାସୀ ପୀଡ଼ିତ ଥିବା ଖବର ପ୍ରକାଶ ପରେ ଦୁର୍ଗମ କେଲୁଆ ଗାଁରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ସୋମବାର ନାକୁରୁଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ କେଲୁଆରେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।
ଆୟୁଷ ଡାକ୍ତର ହିମାଂଶୁ ଶେଖର ସାମନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ଫାର୍ମାସିଷ୍ଟ ଗୋପାଳକୃଷ୍ଣ ବେହେରା, ଛବିତ୍ର ନାଏକ, ସ୍ୱାସ୍ଥ୍ୟକର୍ମୀ କେଶବ ମାଝୀ ଓ ହିମାଂଶୁ ଶବର, ମ୍ୟାଲେରିଆ ସୁପରଭାଇଜର ଅଜିତ କୁମାର ପଣ୍ଡା ଏବଂ ଆଶାକର୍ମୀ ରେବତୀ ନାଏକ ସାମିଲ ଥିଲେ। ଟିମ୍‌ ସଦସ୍ୟମାନେ ଘର ଘର ବୁଲି ଅସୁସ୍ଥ ଗ୍ରାମବାସୀଙ୍କୁ ଯାଞ୍ଚ କରିବା ସହ ଆବଶ୍ୟକ ଔଷଧ ଓ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ।
ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଗାଁର ୮୬ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା। ସମସ୍ତ ନମୁନା ମ୍ୟାଲେରିଆ ନେଗେଟିଭ୍ ଆସିଥିବା ଡାକ୍ତରୀ ଦଳ ପକ୍ଷରୁ ସୂଚନା ମିଳିଛି। ଅଧିକାଂଶ ଗ୍ରାମବାସୀ ସାଧାରଣ ଥଣ୍ଡା, ସର୍ଦି ଓ କାଶରେ ପୀଡ଼ିତ ଥିବା ଜଣାପଡ଼ିଛି। ଆବଶ୍ୟକତା ଅନୁଯାୟୀ ଔଷଧ ଯୋଗାଇ ଦିଆଯାଇଥିବା ବେଳେ ଗୁରୁତର ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନେବାକୁ ପରାମର୍ଶ ଦିଆଯାଇଛି।
ନାକୁରୁଣ୍ଡି ଗ୍ରାମପଞ୍ଚାୟତ ଅଧୀନରେ ଥିବା କେଲୁଆ ଗାଁଟି ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ଏଠାରେ ପ୍ରାୟ ୬୦ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଗତ ପ୍ରାୟ ୧୫ ଦିନ ଧରି ଅନେକ ଲୋକ ଜ୍ୱର, ଥଣ୍ଡା ଓ କାଶରେ ପୀଡ଼ିତ ହେବା ପରେ ଗାଁରେ ସ୍ୱାସ୍ଥ୍ୟସେବା ନେଇ ଚିନ୍ତା ବଢ଼ିଥିଲା। ଦୁର୍ଗମ ଭୌଗୋଳିକ ସ୍ଥିତି ଯୋଗୁଁ ନିୟମିତ ଭାବେ ଚିକିତ୍ସା ସେବା ପାଇବାରେ ସମସ୍ୟା ହେଉଥିବା ଗ୍ରାମବାସୀ କହିଛନ୍ତି।
ଅନ୍ୟପକ୍ଷରେ, କେଲୁଆରେ ବିଶୁଦ୍ଧ ପାନୀୟ ଜଳର ଅଭାବ ମଧ୍ୟ ଚିନ୍ତାର କାରଣ ପାଲଟିଛି। ବର୍ଷା ଋତୁରେ ଦୂଷିତ ପାଣି ବ୍ୟବହାର କରିବାକୁ ପଡ଼ୁଥିବାରୁ ଆଗାମୀ ଦିନରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ଗାଁରେ ନିରାପଦ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ସହ ନିୟମିତ ସ୍ୱାସ୍ଥ୍ୟ ଶିବିର ଓ ନିରୀକ୍ଷଣ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଦୀର୍ଘଦିନର ସମସ୍ୟା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଦୁର୍ଗମ ଗାଁରେ ପହଞ୍ଚି ଚିକିତ୍ସା ଓ ଔଷଧ ଯୋଗାଇ ଦେଇଥିବାରୁ ଗ୍ରାମବାସୀ ସନ୍ତୋଷ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ ବିଭାଗ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User