Safe Express କୁରିଅର୍‌ରେ ୪୦୦ କେଜି ଗଞ୍ଜେଇ! ସୋଲ୍‌ ପେଟିରେ ଉତ୍ତରପ୍ରଦେଶ ଚାଲାଣ ଅଭିଯୋଗ; ୩୨ ପେଟିରୁ ପ୍ରାୟ ୪୦୦ କେଜି ଜବତ

Sep 27, 2026 - 14:46
0 98
Safe Express କୁରିଅର୍‌ରେ ୪୦୦ କେଜି ଗଞ୍ଜେଇ! ସୋଲ୍‌ ପେଟିରେ ଉତ୍ତରପ୍ରଦେଶ ଚାଲାଣ ଅଭିଯୋଗ; ୩୨ ପେଟିରୁ ପ୍ରାୟ ୪୦୦ କେଜି ଜବତ

ଭବାନୀପାଟଣା, ୨୭।୯ (ଷ୍ଟାରନିୟୁଜ ଓଡ଼ିଶା):

କୁରିଅର୍‌ ପାର୍ସଲ୍‌ ଆଳରେ ଚାଲିଥିଲା କି ଗଞ୍ଜେଇ ଚାଲାଣ? ଭବାନୀପାଟଣା ସହରର ଏକ  Safe Express କୁରିଅର୍‌ ଅଫିସ୍‌ରେ ଅବକାରୀ ବିଭାଗର ଚଢ଼ାଉ ପରେ ଏଭଳି ସନ୍ଦେହ ଘନୀଭୂତ ହୋଇଛି। ଯାଞ୍ଚ ସମୟରେ ସୋଲ୍‌ ପେଟି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଜବତ ଗଞ୍ଜେଇର ପରିମାଣ ପ୍ରାୟ ୪୦୦ କେଜି ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ସୋଲ୍‌ ପେଟି ମଧ୍ୟରେ ଗଞ୍ଜେଇ ଭର୍ତ୍ତି କରି କୁରିଅର୍‌ ମାଧ୍ୟମରେ ଉତ୍ତରପ୍ରଦେଶକୁ ପଠାଇବା ପାଇଁ ପ୍ରସ୍ତୁତ କରାଯାଇଥିଲା। ଚଢ଼ାଉ ବେଳେ ମୋଟ ୩୨ଟି ପେଟି ଜବତ ହୋଇଥିବା ଜଣାପଡ଼ିଛି। ଏତେ ବଡ଼ ପରିମାଣର ନିଶାଦ୍ରବ୍ୟ କୁରିଅର୍‌ ନେଟୱର୍କ ମାଧ୍ୟମରେ ଅନ୍ୟ ରାଜ୍ୟକୁ ପଠାଇବା ଉଦ୍ୟମ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଜଜ୍‌ଙ୍କ ଠିକଣାକୁ ପାର୍ସଲ୍‌!
ଘଟଣାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ପାର୍ସଲ୍‌ର ଡେଲିଭରୀ ଠିକଣା। ସୂଚନା ଅନୁସାରେ, ଉତ୍ତରପ୍ରଦେଶର ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ ଠିକଣା ପାର୍ସଲ୍‌ର ଡେଲିଭରୀ ଠିକଣା ଭାବେ ଉଲ୍ଲେଖ ଥିବା ଜଣାପଡ଼ିଛି। ତେବେ ପାର୍ସଲ୍‌ରେ ଜଜ୍‌ଙ୍କ ନାମ ନଥିବା ସହ ପଠାଇଥିବା ବ୍ୟକ୍ତିଙ୍କ ନାମ ଓ ଠିକଣା ମଧ୍ୟ ଉଲ୍ଲେଖ ନଥିବା ସୂଚନା ମିଳିଛି।
ଏହା ପରେ ମାମଲା ଆହୁରି ରହସ୍ୟମୟ ହୋଇପଡ଼ିଛି। ପ୍ରାୟ ୪୦୦ କେଜି ଗଞ୍ଜେଇ ଭଳି ବଡ଼ ପରିମାଣର ନିଶାଦ୍ରବ୍ୟ କିଏ କୁରିଅର୍‌ ମାଧ୍ୟମରେ ପଠାଉଥିଲା? କାହିଁକି ଏକ ବିଚାରପତିଙ୍କ ସରକାରୀ ଠିକଣାକୁ ଡେଲିଭରୀ ଠିକଣା ଭାବେ ବ୍ୟବହାର କରାଗଲା? ଏହି ଚାଲାଣ ପଛରେ କୌଣସି ବଡ଼ ନେଟୱର୍କ କାମ କରୁଛି କି? ଏହାର ଉତ୍ତର ଏବେ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଘଟଣାରେ କୁରିଅର୍‌ କର୍ମଚାରୀଙ୍କ ଭୂମିକା ସମେତ ପାର୍ସଲ୍‌ ବୁକ୍‌ କରିଥିବା ବ୍ୟକ୍ତି, ଚାଲାଣର ଉତ୍ସ ଓ ଗନ୍ତବ୍ୟସ୍ଥଳ ସମ୍ପର୍କରେ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି। ଏହି ଚାଲାଣ ପଛରେ କିଏ କିଏ ରହିଛନ୍ତି ଏବଂ ଏହାର ନେଟୱର୍କ କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି, ତଦନ୍ତ ପରେ ତାହା ସାମ୍ନାକୁ ଆସିବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User