ଟ୍ରକ୍–ପିକଅପ୍ ମୁହାଁମୁହିଁ ଧକ୍କା: ଡ୍ରାଇଭର ମୃତ, ହେଲ୍ପର ଗୁରୁତର

Sep 29, 2026 - 21:14
0 0
ଟ୍ରକ୍–ପିକଅପ୍ ମୁହାଁମୁହିଁ ଧକ୍କା: ଡ୍ରାଇଭର ମୃତ, ହେଲ୍ପର ଗୁରୁତର

କୋକସରା, ୨୮/୦୯ (ଷ୍ଟାରନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କୋକସରା ସହର ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥ-୨୬ରେ ସୋମବାର ମଧ୍ୟାହ୍ନରେ ଏକ ଟ୍ରକ୍ ଓ ପିକଅପ୍ ମଧ୍ୟରେ ଭୟାବହ ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ପିକଅପ୍ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ହେଲ୍ପର ଗୁରୁତର ଆହତ ହୋଇଛନ୍ତି।
ମୃତ ଡ୍ରାଇଭରଙ୍କୁ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଅଞ୍ଚଳର ନନ୍ଦ ଭତରା ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଆହତ ହେଲ୍ପର ମଙ୍ଗଲୁ ମୁଦୁଲି ବୋରିଗୁମ୍ମା ଥାନା ଅନ୍ତର୍ଗତ କଷାଗୁଡ଼ା ଗ୍ରାମର ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ପିକଅପ୍ ଗାଡ଼ି ନମ୍ବର OD-10-V-7079 ବୋରିଗୁମ୍ମାରୁ ଭବାନୀପାଟଣା ଅଭିମୁଖେ ଯାଉଥିବାବେଳେ ତାମିଲନାଡୁ ନମ୍ବର TN-52-H-2477 ଥିବା ଏକ ଟ୍ରକ୍ ସହ କୋକସରା ସହର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଧକ୍କା ଏତେ ତୀବ୍ର ଥିଲା ଯେ ପିକଅପ୍ ଗାଡ଼ିର ଡ୍ରାଇଭର ଓ ହେଲ୍ପର ଗାଡ଼ି ଭିତରେ ଫସି ରହିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଯୁବକମାନେ କୋକସରା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଉଭୟ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରୟାସ ପରେ ଦୁଇଜଣଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରି କୋକସରା ଡାକ୍ତରଖାନାକୁ ନେଇଥିଲେ।
ତେବେ ଡ୍ରାଇଭର ନନ୍ଦ ଭତରାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ଆମ୍ବୁଲାନ୍ସ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପଟେ ଗୁରୁତର ହେଲ୍ପରଙ୍କ କୋକସରା ଡାକ୍ତରଖାନାରେ ଚିକିତ୍ସା ଚାଲିଛି।
ଘଟଣା ପରେ କୋକସରା ପୋଲିସ ମୃତକଙ୍କ ପରିବାରକୁ ସୂଚନା ଦେଇଥିବାବେଳେ ଦୁର୍ଘଟଣାରେ ସମ୍ପୃକ୍ତ ଟ୍ରକ୍ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User