ଲଗାଣ ବର୍ଷାରେ କେସିଙ୍ଗା ରେଲୱେ ଅଣ୍ଡରବ୍ରିଜ୍ ଜଳମଗ୍ନ ଯାତାୟାତ ଠପ୍‌; ଫ୍ଲାଏଓଭର ଦାବିରେ ତେଜିଲା ଅସନ୍ତୋଷ — ଡ୍ରେନ୍ ନିର୍ମାଣ ପ୍ରତିଶ୍ରୁତି କେବେ ହେବ କାର୍ଯ୍ୟକାରୀ?

Sep 26, 2026 - 20:18
0 5
ଲଗାଣ ବର୍ଷାରେ କେସିଙ୍ଗା ରେଲୱେ ଅଣ୍ଡରବ୍ରିଜ୍ ଜଳମଗ୍ନ ଯାତାୟାତ ଠପ୍‌; ଫ୍ଲାଏଓଭର ଦାବିରେ ତେଜିଲା ଅସନ୍ତୋଷ — ଡ୍ରେନ୍ ନିର୍ମାଣ ପ୍ରତିଶ୍ରୁତି କେବେ ହେବ କାର୍ଯ୍ୟକାରୀ?

କେସିଙ୍ଗା, ୨୬/୦୯ (ଷ୍ଟାରନିୟୁଜ ଓଡ଼ିଶା): ଲଗାଣ ବର୍ଷା ଯୋଗୁ କେସିଙ୍ଗା ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ, କେସିଙ୍ଗାର ମୁଖ୍ୟ ରେଲୱେ ଅଣ୍ଡରବ୍ରିଜ୍‌ରେ ବର୍ଷା ଓ ତେଲନଦୀର ଜଳ ପ୍ରବେଶ କରିବା ଯୋଗୁ ଯାତାୟାତ ବ୍ୟାହତ ହୋଇଛି। ଅଣ୍ଡରବ୍ରିଜ୍‌ରେ ପାଣି ଜମି ରହିବା ଯୋଗୁ ଦୁଇଚକିଆ ଯାନ, ଅଟୋ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ବର୍ଷା ଋତୁରେ ଏହି ଅଣ୍ଡରବ୍ରିଜ୍‌ରେ ଜଳ ଜମିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ଫଳରେ ଅଣ୍ଡରବ୍ରିଜ୍‌ ଦେଇ ଯାତାୟାତ କରୁଥିବା ସାଧାରଣ ଲୋକଙ୍କ ସମସ୍ୟା ଦିନକୁ ଦିନ ବଢ଼ୁଛି। ବିଶେଷକରି ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ, ରୋଗୀ ଓ ଅନ୍ୟାନ୍ୟ ଯାନବାହନର ଯାତାୟାତ ନେଇ ଚିନ୍ତା ପ୍ରକାଶ ପାଇଛି।
ଅନ୍ୟପଟେ, ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ରେତ ନଦୀ ଓ ହାତୀ ନଦୀର ଜଳପ୍ରବାହ ବୃଦ୍ଧି ପାଇ ତେଲନଦୀରେ ମଧ୍ୟ ଜଳସ୍ତର ବଢ଼ିଥିବାରୁ ନଦୀକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। ଏଭଳି ସମୟରେ ଅଣ୍ଡରବ୍ରିଜ୍‌ରେ ବର୍ଷା ଓ ତେଲନଦୀର ଜଳ ପ୍ରବେଶ କରିବା ସମସ୍ୟାକୁ ଆହୁରି ଗୁରୁତର କରିଦେଇଛି।
ବାରମ୍ବାର ଦାବି, ମିଳିଛି ପ୍ରତିଶ୍ରୁତି; ହେଲେ କାମ କେବେ?
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେସିଙ୍ଗା ସଚେତନ ନାଗରିକ ମଞ୍ଚ, କେସିଙ୍ଗା ବିକାଶ ମଞ୍ଚ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ବାରମ୍ବାର ରେଲୱେ ଓ ଜାତୀୟ ରାଜପଥ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସିଛନ୍ତି। ଅଣ୍ଡରବ୍ରିଜ୍‌ରେ ତେଲନଦୀ ଓ ବର୍ଷାଜଳ ପ୍ରବେଶ କରୁଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯଥାଯଥ ଜଳନିଷ୍କାସନ ବ୍ୟବସ୍ଥା ଓ ଡ୍ରେନ୍ ନିର୍ମାଣ ନିମନ୍ତେ ସଂଗଠନଗୁଡ଼ିକ ପକ୍ଷରୁ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିବା କୁହାଯାଇଛି।
ଦାବିପତ୍ର ପାଇବା ପରେ ସମ୍ପୃକ୍ତ ପ୍ରଶାସନ ପକ୍ଷରୁ ଡ୍ରେନ୍ ନିର୍ମାଣ ଓ ଜଳନିଷ୍କାସନ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳିଥିଲା ବୋଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି। ତେବେ ପ୍ରତିଶ୍ରୁତିର ଦୀର୍ଘ ସମୟ ପରେ ମଧ୍ୟ ଯଦି ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ, ତେବେ ଏହି ଡ୍ରେନ୍ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ଏବଂ କେବେ ଶେଷ ହେବ, ତାହା ଏବେ ସାଧାରଣ ଲୋକଙ୍କ ପାଇଁ ବଡ଼ ପ୍ରଶ୍ନ ହୋଇଛି।
ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀମାନେ କହିଛନ୍ତି, କେବଳ ବର୍ଷା ହେଲେ ପାଣି ନିଷ୍କାସନ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରିଦେଲେ ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ। ଅଣ୍ଡରବ୍ରିଜ୍‌ରେ ପାଣି ପ୍ରବେଶ ରୋକିବା ସହ ଜଳନିଷ୍କାସନ ପାଇଁ ଯୋଜନାବଦ୍ଧ ଡ୍ରେନ୍ ବ୍ୟବସ୍ଥା ଏବଂ ଆବଶ୍ୟକ ହେଲେ ଫ୍ଲାଏଓଭର କିମ୍ବା ବିକଳ୍ପ ଉଚ୍ଚସ୍ତରୀୟ ରାସ୍ତା ନିର୍ମାଣ ହିଁ ଏହି ସମସ୍ୟାର ଦୀର୍ଘମିଆଦୀ ସମାଧାନ ହୋଇପାରିବ।
“ବର୍ଷା ହେଲେ ଅଣ୍ଡରବ୍ରିଜ୍‌ ଜଳମଗ୍ନ, ପାଣି ଜମିଲେ ଲୋକଙ୍କ ଯାତାୟାତ ବନ୍ଦ—ତେବେ ସ୍ଥାୟୀ ସମାଧାନ କେବେ?” ବୋଲି ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀମାନେ ପ୍ରଶ୍ନ ଉଠାଇଛନ୍ତି।
ଯଥାଶୀଘ୍ର ଡ୍ରେନ୍ ନିର୍ମାଣ ସହ ଜଳନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ଏବଂ ଫ୍ଲାଏଓଭର ନିର୍ମାଣ ନେଇ ଠୋସ ପଦକ୍ଷେପ ନିଆନଗଲେ, କେସିଙ୍ଗା ସଚେତନ ନାଗରିକ ମଞ୍ଚ, ବିକାଶ ମଞ୍ଚ ଓ ସମାଜସେବୀମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଏବେ ଅପେକ୍ଷା—ପ୍ରତିଶ୍ରୁତି କେବେ କାର୍ଯ୍ୟରୂପ ନେବ? ଡ୍ରେନ୍ ନିର୍ମାଣ କେବେ ଆରମ୍ଭ ହେବ? ଏବଂ କେସିଙ୍ଗାବାସୀଙ୍କ ଏହି ଦୀର୍ଘଦିନର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ—ତାହା ଦେଖିବାକୁ ବାକି ରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User