ଲୋପ ପାଇବାକୁ ବସିଲାଣି ବାଉଁଶ ପାତିଆରେ ନିର୍ମିତ ସାମଗ୍ରୀ।

Jun 20, 2025 - 09:07
0 107
ଲୋପ ପାଇବାକୁ ବସିଲାଣି ବାଉଁଶ ପାତିଆରେ ନିର୍ମିତ ସାମଗ୍ରୀ।

ନବରଙ୍ଗପୁର,୨୦l୬ (ଷ୍ଟାର ନିୟୁଜ ଓଡିଶା): ବଦଳୁଛି ଯୁଗ। ତା’ ସାଙ୍ଗକୁ ବଦଳୁଛି ଜୀବନଶୈଳୀ। ପାରମ୍ପରିକ କୌଳିକ ବୃତ୍ତି ଛାଡ଼ି ସମସ୍ତେ ଏବେ ପାଶ୍ଚାତ୍ୟ ଢାଞ୍ଚା ଆପଣାଇବାକୁ ପସନ୍ଦ କରୁଛନ୍ତି। ଏହିକ୍ରମରେ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଏଥିପାଇଁ ମାଟି, ବାଉଁଶ ଓ ପିତଳ ଭଳି ଅନ୍ୟାନ୍ୟ ପାରମ୍ପରିକ ସାମଗ୍ରୀର ଚାହିଦା କମିବାରେ ଲାଗିଛି। ଅନେକେ ପାରମ୍ପରିକ କୌଳିକ ବୃତ୍ତି ଛାଡ଼ି ସାରିଛନ୍ତି। ତେବ‌େ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର 2 ନମ୍ବର ୱାର୍ଡ ଗୋତିଗୁଡା ଠାରେ 20 ରୁ ଅଧିକ ପରିବାର ନିଜ ପାରମ୍ପରିକ କୌଳିକ ବୃତ୍ତିକୁ ନଛାଡ଼ି ଏହାକୁ ଅଭିନବ ଉପାୟରେ ତଥା ନୂଆ ଢଙ୍ଗରେ କାମରେ ଲଗାଇ ନିଜର ଏକ ସ୍ବତନ୍ତ୍ର ପରିଚିତ ସୃଷ୍ଟି କରିବା ସହ ରୋଜଗାରକ୍ଷମ ହୋଇ ପାରିଛନ୍ତି। ବାଉଁଶପାତିଆରେ ପାରମ୍ପରିକ କୁଣ୍ଢି, ଚାଙ୍ଗୁଡ଼ି, ତାଟ, ଚାଞ୍ଚ, କୁଲା ଓ ପାଛିଆ ସହ ଘର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟମାନଙ୍କୁ ଏଥିରେ ସାମିଲ କରିଛନ୍ତି। ସେହିପରି ବେତରେ ବି ଘରକରଣା ସାମଗ୍ରୀ ପ୍ରସ୍ତୁତ କରି ଆସୁଛନ୍ତି।ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ରାତି ପାହିଲେ କାମରେ ଲାଗି ପଡ଼ନ୍ତି ପୂରା ପରିବାର । ଖରା ହେଉ କି ବର୍ଷା ବୁଲି ବୁଲି ବାଉଁଶ କିଣନ୍ତି ଓ ତାକୁ କଟୁରିରେ ଚିରି ପତଳା କରି ଶୁଖାଇଥାଆନ୍ତି । ଶୁଖିଯିବା ପରେ ବାଉଁଶ ପାତିଆରେ ରଙ୍ଗ ଦେଇ ବିଭିନ୍ନ ସାମଗ୍ରୀ ତିଆରି କରାଯାଏ । ପ୍ଲାଷ୍ଟିକର ବହୁଳ ବ୍ୟବହାର ହେତୁ ବାଉଁଶ ତିଆରି ସାମଗ୍ରୀର ଚାହିଦା କମି ଯାଉଛି । ବର୍ତ୍ତମାନ କେବଳ ପୂଜା ପାର୍ବଣ ଓ ବାହାଘର ବ୍ରତଘରକୁ ଛାଡ଼ିଦେଲେ ଅନ୍ୟ ଦିନରେ କେହି ବି ବାଉଁଶ ସାମଗ୍ରୀ ବ୍ୟବହାର କରୁନାହାଁନ୍ତି । ବାଉଁଶ ସାମଗ୍ରୀ ଧରି କାରିଗରମାନଙ୍କୁ ଏ ହାଟରୁ ସେ ହାଟ ଓ ଘର ଘର ବୁଲି ଶାଗମାଛ ଦରରେ ବିକ୍ରି କରିବାକୁ ପଡୁଛି । ପରିଶ୍ରମ ଅନୁସାରେ ପ୍ରାପ୍ୟ ମିଳୁନାହିଁ ।ବାଉଁଶ କାରିଗରମାନେ ଧୀରେ ଧୀରେ କୁଳ ବେଉସାରୁ ମୁହଁ ମୋଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ତାଳ, ଖଜୁରି, ଶିଆଳି ଆଦି ପତ୍ରରୁ ନିର୍ମିତ ସାମଗ୍ରୀ ପାଇଁ ସରକାରଙ୍କ ପକ୍ଷରୁ ଯେପରି ବଜାର ଖୋଲି ପ୍ରୋତ୍ସାହନ ଦିଆଯାଉଛି, ବାଉଁଶ କାରିଗରଙ୍କ ପାଇଁ ସେପରି କରାଗଲେ ସେମାନେ ଉପକୃତ ହେବେ ଓ ବଞ୍ଚି ରହିବ ପରମ୍ପରା ଓ କୁଳ ବେଉସା ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User